Mon. Apr 20th, 2026

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଓ ବିଶୃଙ୍ଖଳ ଆଚରଣ ଘଟଣାକୁ ନେଇ ଜଣେ ଖୁଣ୍ଟିଆ ସେବକଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ ରାମକୃଷ୍ଣ ଖୁଣ୍ଟିଆଙ୍କୁ ତିନି ମାସ ପାଇଁ ନିଲମ୍ବନ କରିଛନ୍ତି। ଅନ୍ୟ ଦୁଇ ସେବକ ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ସର୍ତ୍ତସହ କ୍ଷମା କରାଯାଇଥିବା ବେଳେ ଭବିଷ୍ୟତରେ ଏପରି ଆଚରଣ ପୁନରାବୃତ୍ତି ହେଲେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି।

ସୂଚନା ଅନୁସାରେ ଗତ ଫେବୃଆରୀ ୨୮ ତାରିଖରେ କେତେକ ସେବକଙ୍କ ଅଶୋଭନୀୟ ଆଚରଣ ଓ କାର୍ଯ୍ୟକଳାପ ଯୋଗୁଁ ଶ୍ରୀମନ୍ଦିରର ନୀତି ପ୍ରାୟ ଚାରି ଘଣ୍ଟା ବିଳମ୍ବିତ ହୋଇଥିଲା। ଏହାର ପରିଣାମରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ବିପୁଳ ଅସୁବିଧାର ସମ୍ମୁଖୀନ ହେବା ସହ ନିର୍ଦ୍ଦିଷ୍ଟ ସମୟରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ। ଏହାସହ କର୍ତ୍ତବ୍ୟରତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା। ଘଟଣା ପରେ ସଂପୃକ୍ତ ଛାମୁ ଖୁଣ୍ଟିଆ ସେବକ ରାମକୃଷ୍ଣ ଖୁଣ୍ଟିଆ ଓ ଅନ୍ୟ ଦୁଇ ସେବକ ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ମୁଖ୍ୟ ପ୍ରଶାସକ କୈଫିୟତ ତଲବ କରିଥିଲେ।

ସେମାନଙ୍କ ଉତ୍ତର ଓ ପ୍ରଶାସନର ଅଧିକାରୀ-କର୍ମଚାରୀଙ୍କ ପକ୍ଷ ଶୁଣିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।ନିଲମ୍ବନ ଅବଧିରେ ରାମକୃଷ୍ଣ ଖୁଣ୍ଟିଆ ଶ୍ରୀମନ୍ଦିରର କୌଣସି ସେବାପୂଜା କିମ୍ବା ନୀତିରେ ସାମିଲ ହୋଇପାରିବେ ନାହିଁ। ଏହି ସମୟ ମଧ୍ୟରେ ସେ ଯଦି କୌଣସି ସେବକ କିମ୍ବା ବ୍ୟକ୍ତିଙ୍କୁ ପ୍ରଲୋଭନ ଦେବା, ଧମକ ଦେବା କିମ୍ବା ଶ୍ରୀମନ୍ଦିରର ସେବାପୂଜା ଓ ନୀତିରେ ବାଧା ସୃଷ୍ଟି କରିବା ପରି କାର୍ଯ୍ୟରେ ଲିପ୍ତ ହେବେ, ତେବେ ନିଲମ୍ବନ ଅବଧି ବଢ଼ାଯିବା ସହ କଠୋରତର ଶୃଙ୍ଖଳାଗତ ପଦକ୍ଷେପ ନିଆଯିବ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି।

ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ଅଧିକାଂଶ ସେବକଙ୍କ ସମୟୋଚିତ ସହଯୋଗ ଓ ସମନ୍ୱୟରେ ଶ୍ରୀମନ୍ଦିରର ନୀତିକାନ୍ତି ସୁଚାରୁ ଭାବରେ ସମ୍ପାଦିତ ହେଉଛି। କିନ୍ତୁ କେତେକ ସେବକଙ୍କ ବିଶୃଙ୍ଖଳ ଆଚରଣ ଯୋଗୁଁ ନୀତି ବ୍ୟାହତ ହେବା ଦୁଃଖଦାୟକ। ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *