Mon. Apr 20th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ କିଛିଦିନ ଧରି ଜାରି ରହିଥିବା ତୀବ୍ର ଖରା ଓ ଗରମରେ ଏବେ ବ୍ରେକ୍ ଲାଗିଛି। ପାଗରେ ପରିବର୍ତ୍ତନ ହେବା ସହିତ ଦିନର ତାପମାତ୍ରା କମିବାରୁ ଲୋକମାନେ ତାତିରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ତାତିରୁ ସାମାନ୍ୟ ରାହାତ ମିଳିବ। ଦିନର ତାପମାତ୍ରା ପ୍ରାୟ ୩ରୁ ୫ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ କମ ରହିବ ବୋଲି କୁହାଯାଇଛି।

ଗତ ରବିବାର ପାଗରେ ହଠାତ୍ ପରିବର୍ତ୍ତନ ଦେଖାଦେଇଥିଲା। ଝଡ଼ବର୍ଷା ଯୋଗୁଁ ତାପମାତ୍ରାରେ ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ରବିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କୋରାପୁଟ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ବର୍ଷା ହୋଇଥିବା ଦେଖାଯାଇଛି। ସୋମବାର ମଧ୍ୟ ରାଜ୍ୟର କିଛି ଜିଲ୍ଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ମୟୂରଭଞ୍ଜ ଜିଲ୍ଲା ପାଇଁ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ଝଡ଼ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସମୟରେ ପବନର ବେଗ ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ସୂଚନା ମିଳିଛି। ତେଣୁ ଆବଶ୍ୟକ ନଥିଲେ ଲୋକମାନଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି।

ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ଏବଂ ତାପମାତ୍ରାରେ ସାମାନ୍ୟ ହ୍ରାସ ଜାରି ରହିବ।

Leave a Reply

Your email address will not be published. Required fields are marked *