ନ୍ୟୁଜ ଡେକ୍ସ : ପବିତ୍ର ଚୈତ୍ର ନବରାତ୍ରୀ ଆଜିଠାରୁ ଆରମ୍ଭ ହୋଇଥିବାବେଳେ ଦେଶବ୍ୟାପୀ ଭାବେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି। ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଏହି ଅବସରରେ ଆକର୍ଷଣୀୟ ଭାବରେ ସଜାଯାଇଛି। ନଅ ଦିନ ଧରି ଭକ୍ତମାନେ ଦେବୀଙ୍କ ନଅଟି ରୂପକୁ ପୂଜା କରି ଆଶୀର୍ବାଦ ଗ୍ରହଣ କରିବେ।ସହରର ପ୍ରମୁଖ ବାଭେ ୱାଲି ମାତା ମନ୍ଦିରର ଦ୍ୱାର ସକାଳ ୪ଟାରେ ଖୋଲାଯାଇଥିଲା, ଯାହା ଫଳରେ ଭକ୍ତମାନେ ସକାଳୁ ଦର୍ଶନ କରିପାରୁଛନ୍ତି।
ମନ୍ଦିର ମହନ୍ତ ବିଟ୍ଟା ପୂଜାରୀଙ୍କ କହିବାନୁସାରେ, ଭକ୍ତମାନଙ୍କ ସୁବିଧାକୁ ଧ୍ୟାନରେ ରଖି ସମଗ୍ର ପରିସରକୁ ରଙ୍ଗୀନ ଆଲୋକ ଓ ବିଭିନ୍ନ ପ୍ରକାରର ଫୁଲରେ ସଜାଯାଇଛି। ବର୍ଷା ଯୋଗୁଁ କିଛି ସଜାସଜ୍ଜା କାମ ବିଳମ୍ବ ହୋଇଥିଲେ ମଧ୍ୟ ଏବେ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି।ଏଥର ପ୍ରାୟ ଚାରି କ୍ୱିଣ୍ଟାଲ ଫୁଲ ବ୍ୟବହାର କରାଯାଇଥିବା ବେଳେ ଜମ୍ମୁ ଅଞ୍ଚଳର ସ୍ଥାନୀୟ ଫୁଲ ଦ୍ୱାରା ମନ୍ଦିରକୁ ବିଶେଷ ଭାବରେ ସଜାଯାଇଛି। ନଅ ଦିନ ଧରି ପ୍ରତି ଦୁଇ ଦିନରେ ଫୁଲ ପରିବର୍ତ୍ତନ କରାଯିବ। ସେହିପରି ମନ୍ଦିର ପରିସରରେ ପ୍ରତିଦିନ ଲଙ୍ଗର ଆୟୋଜନ ମଧ୍ୟ କରାଯିବ। ଦର୍ଶନ ସମୟ ସକାଳ ୪ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏବଂ ପୁନଃ ରାତି ୯ଟା ପର୍ଯ୍ୟନ୍ତ ଚାଲିବ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚାରୁ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି।ନବରାତ୍ରୀ ଅବସରରେ ମାତା କୌଲ କାଣ୍ଡୋଲି ମନ୍ଦିର, ମହାମାୟା ମନ୍ଦିର ଓ ଶ୍ରୀ ରଘୁନାଥ ଜୀ ମନ୍ଦିର ସହିତ ଅନ୍ୟାନ୍ୟ ଦେବୀ ମନ୍ଦିରଗୁଡ଼ିକୁ ମଧ୍ୟ ଫୁଲ ଓ ଆଲୋକରେ ସଜାଯାଇଛି। ସହରର ବଜାରଗୁଡ଼ିକରେ ଭକ୍ତମାନଙ୍କ ଭିଡ଼ ଲାଗିଥିବା ବେଳେ ଚୁନରି, ପୂଜା ଥାଳ ଓ ବିଭିନ୍ନ ସାମଗ୍ରୀ କ୍ରୟରେ ବ୍ୟସ୍ତ ରହିଛନ୍ତି। ଘରେ କଳଶ ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି।

