Mon. Apr 20th, 2026

ନ୍ୟୁଜ ଡେକ୍ସ : ଆଜି ମାର୍ଚ୍ଚ ୨୦ ତାରିଖକୁ ସାରା ବିଶ୍ୱରେ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଆଙ୍କ ଜୀବନଶୈଳୀ ଓ ସଂସ୍କୃତି ସହ ଗଭୀର ସମ୍ପର୍କ ରଖୁଥିବା ପଖାଳ ଆଜି ମଧ୍ୟ ଘରେ ଘରେ ପ୍ରିୟ ଖାଦ୍ୟ ଭାବେ ପରିଚିତ।ସେ ଗାଁ ହେଉ କି ସହର, ପଖାଳର ବାସ୍ନା ସବୁଠି ନିଆରା ଅନୁଭୂତି ଦେଇଥାଏ। କଥାରେ ମଧ୍ୟ ଅଛି, ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ।

ଏହା ଓଡ଼ିଆ ଜନଜୀବନର ଅଂଶ ଭାବେ ବହୁ ପୁରୁଣା ଐତିହ୍ୟକୁ ବୋକେଇ ଆସୁଛି।ଏକଦା ଗରିବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ପଖାଳ ଆଜି ମାଟିପିଣ୍ଡାରୁ ଉଠି ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲକୁ ପହଞ୍ଚିଛି। ଗ୍ରୀଷ୍ମ ଋତୁରେ ଏହା ଶରୀରକୁ ଥଣ୍ଡା ରଖିବାରେ ସହାୟକ ହେବାରୁ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳେ।ପଖାଳ ସହ ବଡିଚୁରା କିମ୍ବା ଭଜା ଥିଲେ ଖାଦ୍ୟର ରସ ଆହୁରି ବଢ଼ିଯାଏ। କି ନେତା, କି ମନ୍ତ୍ରୀ, ସାନ-ବଡ଼, ଧନୀ-ଗରିବ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ଦେଇଛି ପଖାଳ କଂସା। କେହି ଖୋଲା ଆକାଶ ତଳେ ବସି ଖାଉଛନ୍ତି, ତ କେହି ଆଧୁନିକ ହୋଟେଲରେ ଏହାର ଆନନ୍ଦ ଉଠାଉଛନ୍ତି।

ଖଟିଖିଆର ଭାତହାଣ୍ଡିରୁ ଆରମ୍ଭ କରି ମନ୍ଦିର ଓ ସୌଖିନ ହୋଟେଲର ମେନ୍ୟୁ ପର୍ଯ୍ୟନ୍ତ ପଖାଳ ନିଜର ସ୍ଥାନ ତିଆରି କରିଛି। ଗରମ ଭାତ ଥଣ୍ଡା ହେବା ପରେ ତାହାକୁ ପାଣି ସହ ମିଶାଇ ପ୍ରସ୍ତୁତ କରାଯାଉଥିବାରୁ ଏହାକୁ ପଖାଳ ବୋଲି କୁହାଯାଏ।ଏହା କେବଳ ଓଡ଼ିଶାରେ ନୁହେଁ, ଭିନ୍ନ ଭିନ୍ନ ରାଜ୍ୟରେ ମଧ୍ୟ ଭିନ୍ନ ନାମରେ ପରିଚିତ। ଆସାମରେ ପୋଇତାଭାତ, ଛତିଶଗଡରେ ବୋରେ ଭାତ, ପଶ୍ଚିମବଙ୍ଗରେ ପାନ୍ତା ଭାତ ଏବଂ ତାମିଲନାଡୁରେ ବଖାଳବାତ ନାମରେ ଏହା ପରିଚିତ। ଓଡ଼ିଆ ଖାଦ୍ୟ ସଂସ୍କୃତିର ଏହି ପ୍ରତୀକ ଆଜି ସାରା ବିଶ୍ୱରେ ନିଜର ଅଲଗା ପରିଚୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *