ନ୍ୟୁଜ ଡେକ୍ସ : ରାଜ୍ୟରେ ଆଜି କାଳବୈଶାଖୀର ପ୍ରଭାବ ବଢିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମସ୍ତ ଅଞ୍ଚଳରେ ଝଡ଼ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ବାତାସ ବହିବା ସମ୍ଭାବନା ରହିଛି।
ସେହିପରି ଦକ୍ଷିଣ ଓଡିଶା ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ ମିଳିଛି। ଏଥିପାଇଁ ଲୋକମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ଅନୁରୋଧ କରିଛି।ଅନ୍ୟପଟେ, ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଏବର୍ଷ ଗ୍ରୀଷ୍ମ ଋତୁ ଶୀଘ୍ର ଆରମ୍ଭ ହେବ।
ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବା ସହ କେତେକ ଅଞ୍ଚଳରେ ହିଟ୍ୱେଭ ଦିନସଂଖ୍ୟା ବଢିପାରେ।ତେବେ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତର କେତେକ ସ୍ଥାନରେ ତାପମାତ୍ରା ସାମାନ୍ୟ କମ୍ ରହିପାରେ। ରାତିରେ ମଧ୍ୟ ତାପମାତ୍ରା ବଢିବାର ସମ୍ଭାବନା ରହିଥିବାରୁ ଦିନ ସହ ରାତିରେ ମଧ୍ୟ ଗରମର ଅନୁଭବ ହେବ। ହେଲେ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ରାତିର ତାପମାତ୍ରା ସ୍ୱଭାବିକ କିମ୍ବା ତାଠାରୁ କମ୍ ରହିପାରେ।

