Sun. Apr 19th, 2026

ନ୍ୟୁଜ ଡେକ୍ସ : ଓଡିଶାର ଭୂଗର୍ଭରେ ଲୁଚିଥିବା ମୂଲ୍ୟବାନ ଖଣିଜ ସମ୍ପଦ ନେଇ ନୂତନ ତଥ୍ୟ ସାମ୍ନାକୁ ଆସିଛି। ଏହା ରାଜ୍ୟର ଅର୍ଥନୈତିକ ଉନ୍ନତିକୁ ଆହୁରି ଗତି ଦେଇପାରେ ବୋଲି ଆଶା କରାଯାଉଛି। ବିଶେଷ କରି ନୂଆପଡା ଜିଲ୍ଲାରେ ହୀରା ଖଣି ଥିବାର ସନ୍ଧାନ ମିଳିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମାଣିକ ମିଳିବାର ସମ୍ଭାବନା ଚିହ୍ନଟ ହୋଇଛି।ସୂଚନା ଅନୁସାରେ, ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଅନ୍ତର୍ଗତ କାଲମିଦାଦର ଅଞ୍ଚଳରେ ହୀରା ପଥର ଥିବାର ଚିହ୍ନଟ ହୋଇଛି।

ଏହାର ବୈଷୟିକ ଓ ଅର୍ଥନୈତିକ ମୂଲ୍ୟାୟନ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି। ଏହି ଖଣି ଆଗାମୀ ଦିନରେ ରାଜ୍ୟ ପାଇଁ ଏକ ବଡ଼ ଆର୍ଥିକ ସମ୍ପଦରୂପେ ପ୍ରମାଣିତ ହୋଇପାରେ।ସେହିପରି, କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଅଞ୍ଚଳରେ ମାଣିକ ଥିବାର ସନ୍ଧାନ ମିଳିଛି। ଏହା ସହ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବା ସହିତ ସୁନା ଥିବାର ଆକଳନ କରାଯାଇଛି।

ଏହାଛଡ଼ା କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଞ୍ଚଳରେ ମଧ୍ୟ ସୁନାପଥର ଥିବାର ସନ୍ଧାନ ମିଳିଛି। ଏହି ସବୁ ଖଣିଜ ସମ୍ପଦ ରାଜ୍ୟର ଉଦ୍ୟୋଗ ଓ ନିଯୁକ୍ତି ସୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବାର ସମ୍ଭାବନା ରହିଛି। ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ କୌଣସି ମୋତି ଖଣି ଚିହ୍ନଟ ହୋଇନାହିଁ। ସରକାର ପକ୍ଷରୁ ଏହି ସମସ୍ତ ଖଣିଜ ସମ୍ପଦର ସଠିକ୍ ସର୍ବେକ୍ଷଣ ଓ ମୂଲ୍ୟାୟନ ପରେ ଆଗାମୀ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *