ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରାଜନୀତିରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଦେଶର ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ ମୁଖ୍ୟ ଭାବେ ଦାୟିତ୍ୱ ପାଳନ କରି ସେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଦୀ ମୋଟ ୮,୯୩୧ ଦିନ ଶାସନ ମୁଖ୍ୟ ଭାବେ ପୂରଣ କରିଛନ୍ତି।
ଏହା ସହ ସେ ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଂଙ୍କ ୮,୯୩୦ ଦିନର ରେକର୍ଡକୁ ଅତିକ୍ରମ କରିଛନ୍ତି।ନରେନ୍ଦ୍ର ମୋଦୀ କ୍ରମାଗତ ତିନୋଟି ଲୋକସଭା ନିର୍ବାଚନରେ ବିଜୟ ହାସଲ କରି ଦେଶର ରାଜନୀତିରେ ନିଜର ଦୃଢ଼ ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ନେତୃତ୍ୱରେ ଦେଶର ବିକାଶ ପ୍ରକ୍ରିୟାକୁ ଏକ ନୂଆ ଦିଗ ମିଳିଥିବା କୁହାଯାଉଛି।
ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ରାଜ୍ୟ ଭୟଙ୍କର ଭୂକମ୍ପ, ବାତ୍ୟା ଓ ମରୁଡ଼ି ପରି ବିପର୍ଯ୍ୟୟ ସମ୍ମୁଖୀନ ହେଉଥିଲା। ଏହି ସମସ୍ୟାଗୁଡ଼ିକ ତାଙ୍କୁ ଜନସେବା ପାଇଁ ଆହୁରି ସୁଦୃଢ଼ କରିଥିଲା।ମୋଦୀ ନିଜେ କହିଛନ୍ତି ଯେ, ‘ସବୁବେଳେ ଗରିବଙ୍କ ପାଇଁ କାମ କରିବା ଓ କେବେବି ଲାଞ୍ଚ ନେବ ନାହିଁ’ ବୋଲି ତାଙ୍କ ମାଆଙ୍କ ପରାମର୍ଶ ତାଙ୍କ ସାର୍ବଜନୀନ ଜୀବନର ମୂଳମନ୍ତ୍ର ହୋଇ ରହିଛି।

