Sun. Apr 19th, 2026

ନ୍ୟୁଜ ଡେକ୍ସ : ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଘାଟି ନିକଟ ହନୁମାନଘାଟି ବୁଲାଣୀ ରାସ୍ତାରେ ରାତିର ଅନ୍ଧକାରରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଆହତ ହୋଇଥିବାବେଳେ, ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବ୍ରହ୍ମପୁରରୁ ଛାଡ଼ିଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ହରିଶଙ୍କର ମନ୍ଦିରକୁ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଏକ ବଡ଼ ପଥରକୁ ଜୋର୍‌ରେ ଧକ୍କା ଦେଇଥିଲା। ପରେ ବସ୍‌ଟି ଓଲଟି ପଡ଼ିଥିବାରୁ ଯାତ୍ରୀମାନେ ବସ୍‌ଭିତରେ ଛିଟିକି ପଡ଼ିଥିଲେ ଏବଂ କେତେକ ଯାତ୍ରୀ ବସ୍‌ତଳେ ଚାପି ହୋଇ ରହିଯାଇଥିଲେ।ଖବର ପାଇ ଦଶପଲ୍ଲା ଓ ବାଣୀଗୋଛା ପୋଲିସ, ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ୟାସ୍ କଟର୍ ସାହାଯ୍ୟରେ ବସ୍‌କୁ କାଟି ଆହତମାନଙ୍କୁ ବାହାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲା।

ଗୁରୁତର ଆହତ ୧୫ ଜଣଙ୍କୁ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକମାନଙ୍କ ମଧ୍ୟରେ ବସ୍ ଡ୍ରାଇଭର ସହ ୫ ଜଣ ଅଛନ୍ତି। ସେମାନେ ହେଲେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଓ ପ୍ରବୀଣ ସାହୁ, ଯେଉଁମାନେ ସମସ୍ତେ ବ୍ରହ୍ମପୁର ଅଞ୍ଚଳର ବାସିନ୍ଦା ଥିଲେ।ପୋଲିସ ତଥ୍ୟ ଅନୁସାରେ ବସ୍ ଭାରସାମ୍ୟ ହରାଇବା ହିଁ ଦୁର୍ଘଟଣାର ପ୍ରମୁଖ କାରଣ। ଘଟଣାର ତଦନ୍ତ ଜାରି ରହିଛି ଏବଂ ଆହତମାନଙ୍କ ଚିକିତ୍ସା ଚାଲିଛି। ପ୍ରଶାସନ ପକ୍ଷରୁ ପୀଡ଼ିତ ପରିବାରମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି କୁହାଯାଇଛି।ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି ଏବଂ ରାତିରେ ଯାତ୍ରା ସୁରକ୍ଷା ସହିତ ରାସ୍ତାର ଅବସ୍ଥା ନେଇ ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *