Sun. Apr 19th, 2026

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତିକୁ ନେଇ ନୂତନ ବିବାଦ ଦେଖାଦେଇଛି। ଗତ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଗଣତି ସୁଚାରୁ ଭାବେ ସମ୍ପନ୍ନ ହୋଇଥିବାବେଳେ, ଏବେ ଏପ୍ରିଲ୍ ୮, ୯ ଏବଂ ୧୦ ତାରିଖରେ ତିନି ଦିନ ଧରି ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି ହେବାକୁ ଯାଉଛି।

ଏହା ସମ୍ପର୍କରେ ରାଜ୍ୟର ଆଇନ ମନ୍ତ୍ରୀ ପୂର୍ବରୁ ସୂଚନା ଦେଇଥିବାବେଳେ, ଏହି ପ୍ରକ୍ରିୟାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବଡ ବୟାନ ଦେଇଛନ୍ତି।ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଗଣତିମଣତି ବିଷୟରେ ତାଙ୍କୁ କୌଣସି ସୂଚନା ଦିଆଯାଇନି। ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ସହ କୌଣସି ଆଲୋଚନା ହୋଇନଥିବା ସେ ଅଭିଯୋଗ କରିଛନ୍ତି।

ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି ଯେ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର ସମ୍ପର୍କିତ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ଆବଶ୍ୟକ, କିନ୍ତୁ ସେହି ପ୍ରକ୍ରିୟାକୁ ଅନୁସରଣ କରାଯାଉ ନାହିଁ। ଭୁବନେଶ୍ଵରର ଜାଗମରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ ଏହି ପ୍ରତିକ୍ରିୟା ଦେଇଥିଲେ। ଏହି ବୟାନ ପରେ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟାକୁ ନେଇ ଆଲୋଚନା ଆହୁରି ତେଜ ହୋଇଛି।

Leave a Reply

Your email address will not be published. Required fields are marked *