ନ୍ୟୁଜ ଡେକ୍ସ : ଚୌଦ୍ବାର ଜେଲରୁ ଫେରାର୍ ଘଟଣାରେ ଦ୍ବିତୀୟ କଏଦୀକୁ ପୋଲିସ ଗିରଫ କରିଛି। ବିହାରର ରାଜା ସାହାଣୀଙ୍କୁ ଋଷିକେଶରୁ କମିଶନରେଟ୍ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଧରିଛି। ପୂର୍ବରୁ ଅନ୍ୟ ଅଭିଯୁକ୍ତ ମଧୁକାନ୍ତ ରାଣାଙ୍କୁ ବୃନ୍ଦାବନରୁ ଗିରଫ କରାଯାଇଥିଲା।ଦଶହରା ଅବସରରେ ଉଭୟ ଅଭିଯୁକ୍ତ ଯୋଜନାବଦ୍ଧ ଭାବରେ ଜେଲ୍ର ଗ୍ରିଲ୍ କାଟି ପାଚେରୀ ଡେଇଁ ଫେରାର୍ ହୋଇଥିଲେ।
ସେମାନେ ଦଶହରା ଭସାଣି ଦିନ ସକାଳୁ ଚମ୍ପଟ ମାରିଥିବା ସୂଚନା ମିଳିଥିଲା।ପୋଲିସ ଡିଜି ଯୋଗେଶ ବାହାଦୂର୍ ଖୁରାନିଆ ଏହି ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜା ସାହାଣୀ ଛଦ୍ମ ବେଶରେ ଋଷିକେଶରେ ଲୁଚି ରହିଥିବା ବେଳେ ପୋଲିସ ତାକୁ ଧରିଥିଲା। ବର୍ତ୍ତମାନ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶାକୁ ଆଣାଯାଉଛି।ଅନ୍ୟପଟେ, ମଧୁକାନ୍ତ ରାଣା ବୃନ୍ଦାବନର ଏକ ଆଶ୍ରମରେ ଲୁଚିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।
ଏହି ଦୁଇ ଅଭିଯୁକ୍ତଙ୍କ ଗିରଫ ପରେ ଚୌଦ୍ବାର ଜେଲ୍ରୁ ଫେରାର ପଛରେ ଥିବା ଗୁମର ଖୁଲିବାକୁ ଯାଉଛି। ଜେଲ୍ ସୁରକ୍ଷାକୁ ନେଇ ଉଠିଥିବା ପ୍ରଶ୍ନ ଓ କିଏ ସହଯୋଗ କରିଥିଲା, ସେସବୁ ଘଟଣାର ଖୁବଶୀଘ୍ର ପର୍ଦ୍ଦାଫାସ ହେବାକୁ ଥିବା ବୋଲି ପୋଲିସ ସୂଚନା ଦେଇଛି।

