Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ଝିଅମାନଙ୍କ ଉନ୍ନତି ଓ ଶିକ୍ଷାକୁ ଲକ୍ଷ୍ୟ କରି ସରକାରଙ୍କ ପକ୍ଷରୁ ଆଣାଯାଉଥିବା କନ୍ୟା ସୁମଙ୍ଗଳ ଯୋଜନାକୁ ନେଇ ଏବେ ବଡ଼ ସୂଚନା ମିଳିଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଏହି ଯୋଜନାର ଏସଓପି ଖୁବ୍ ଶୀଘ୍ର ଜାରି ହେବାକୁ ଯାଉଛି। ଏସଓପି ଚୂଡାନ୍ତ ହେବା ପରେ ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ଓ କାର୍ଯ୍ୟପଦ୍ଧତି ସାମ୍ନାକୁ ଆସିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଉପ ମୁଖ୍ୟମନ୍ତ୍ରୀଙ୍କ କଥା ଅନୁସାରେ, ଝିଅ ଜନ୍ମ ହେବାର ବର୍ଷକ ମଧ୍ୟରେ ତାଙ୍କ ନାମରେ ଖୋଲାଯାଇଥିବା ବ୍ୟାଙ୍କ ଖାତାକୁ ସରକାର ପ୍ରଥମ କିଷ୍ତି ଟଙ୍କା ଜମା କରିବେ। ଏହା ପରେ ପର୍ଯ୍ୟାୟକ୍ରମେ ଶିକ୍ଷାର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଅର୍ଥ ସହାୟତା ଯୋଗାଇ ଦିଆଯିବ। ଝିଅ ୨୧ ବର୍ଷ ବୟସକୁ ପହଞ୍ଚିବା ସମୟରେ ତାଙ୍କ ଖାତାରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଜମା ହୋଇଯିବା ଯୋଜନା ରହିଛି।ଏହି ଯୋଜନାକୁ ଏକ ଏଜୁକେସନ ବେସଡ଼ ଯୋଜନା ଭାବେ ଗଢ଼ାଯାଉଛି। ମୁଖ୍ୟତଃ ଆର୍ଥିକ ଦୁର୍ବଳ ପରିବାରର ଝିଅମାନଙ୍କୁ ଉଚ୍ଚ ଶିକ୍ଷା ଦେବା ଓ ସେମାନଙ୍କୁ ସ୍ୱାବଳମ୍ବୀ କରିବା ଏହାର ଲକ୍ଷ୍ୟ। ବିଶେଷ କରି ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ଜାରି ରଖିବା ପାଇଁ ଏହି ଯୋଜନା ଉପକାରୀ ହେବ ବୋଲି ସରକାର ଆଶା କରୁଛନ୍ତି।

ସରକାରଙ୍କ ଏହି ପଦକ୍ଷେପ ଝିଅମାନଙ୍କ ଶିକ୍ଷାରେ ଅନୁପ୍ରେରଣା ଦେବା ସହ ସମାଜରେ ଲିଙ୍ଗ ସମତାକୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ। ଅନେକ ସମୟରେ ଆର୍ଥିକ ସମସ୍ୟା ହେତୁ ଝିଅମାନେ ମଧ୍ୟମ ଶିକ୍ଷା ପରେ ପଢ଼ା ଛାଡ଼ିଦେଇଥାନ୍ତି। ଏହି ଯୋଜନା ତାହାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।ଏସଓପି ପ୍ରକାଶ ପାଇବା ପରେ ଯୋଗ୍ୟତା ମାନଦଣ୍ଡ, ଆବେଦନ ପ୍ରକ୍ରିୟା ଓ ଟଙ୍କା ବିତରଣ ପଦ୍ଧତି ସମ୍ପର୍କରେ ଅଧିକ ସୂଚନା ମିଳିବ। ସରକାରଙ୍କ ଏହି ନୂତନ ପ୍ରୟାସକୁ ନେଇ ରାଜ୍ୟରେ ବିଭିନ୍ନ ମହଳରେ ସକାରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *