Fri. Apr 17th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଏଣିକି ଟେଟ୍ରା ପ୍ୟାକରେ ମଦ ଉପଲବ୍ଧ ହେବ। ନୂଆ ବ୍ୟବସ୍ଥା ଅନୁଯାୟୀ ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ବିକ୍ରି ହେବ ଏବଂ ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସରକାର ନିକଟତମ ସମୟରେ ଘୋଷଣା କରିଥିବା ଅବକାରୀ ନୀତି ୨୦୨୬-୨୯ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି।

୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଏହି ତ୍ରୈବାର୍ଷିକ ଅବକାରୀ ନୀତିରେ ଅନେକ ନୂତନ ବ୍ୟବସ୍ଥା ରହିଛି। ଏହା ଅଧୀନରେ ଅବକାରୀ ଶୁଳ୍କ ଉପରେ ୦.୫ ପ୍ରତିଶତ ଡି-ଆଡିକ୍ସନ ସେସ ଲାଗୁ କରାଯାଇଛି। ସେହିପରି ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଥିବା ବେଳେ ନିୟନ୍ତ୍ରଣକୁ କଡା କରାଯାଇଛି।ନୂଆ ଗାଇଡଲାଇନ ଅନୁସାରେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ।

ହେଲେ ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ ଓଟିଡିସିକୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ସେହିପରି ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲି ବିକ୍ରି କରାଯିବ।ଏହି ନୀତି ଅନୁଯାୟୀ ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦ ପ୍ରତିଶତ ବୃଦ୍ଧି ପାଇବ। ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢିବ। ବିଦେଶୀ ଓ ଦେଶୀ ମଦ ଉପରେ ମଧ୍ୟ ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି।ସେହିପରି ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ।

ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବନି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସମସ୍ତ ଉତ୍ପାଦନ ୟୁନିଟ ଓ ଖୁଚୁରା ଦୋକାନକୁ ସିସିଟିଭି ନିରୀକ୍ଷଣ ଅଧୀନରେ ରଖାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ସମଗ୍ର ଭାବେ ନୂଆ ଅବକାରୀ ନୀତି ମାଧ୍ୟମରେ ରାଜ୍ୟରେ ମଦ ବିକ୍ରିକୁ ନିୟନ୍ତ୍ରିତ ଓ ପାରଦର୍ଶୀ କରିବା ସହିତ ସମାଜରେ ସଚେତନତା ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *