Sat. Apr 18th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ସମସ୍ତ ସହରକୁ ପାଇପ ନ୍ୟାଚୁରାଲ୍ ଗ୍ୟାସ (ପିଏନଜି) ସଂଯୋଗ ଦେବା ପାଇଁ ସରକାର ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ମହାନଗର ନିଗମ ସହିତ ଅନୁଗୁଳ ଓ ଢେଙ୍କାନାଳ ଭଳି ବଡ଼ ସହରରେ ପ୍ରାୟ କାମ ସମାପ୍ତି ଅଭିମୁଖୀ ଥିବାବେଳେ, ଅନ୍ୟାନ୍ୟ ସହରରେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।

ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିବା ସହ ସେମାନେ ସହଯୋଗ କରୁଥିବା ସୂଚନା ମିଳିଛି। ବିଭିନ୍ନ କାର୍ଯ୍ୟନିଷ୍ଠ ଏଜେନ୍ସୀଙ୍କୁ କାମକୁ ଦ୍ରୁତ ଗତିରେ ସାରିବାକୁ ନିର୍ଦ୍ଦେଶ ମିଳିଛି। ଗତକାଲି ଏନେଇ ସମୀକ୍ଷା ବୈଠକ ହୋଇଥିଲା ଏବଂ ଟାର୍ଗେଟ ଅନୁଯାୟୀ କାର୍ଯ୍ୟ ପାଇଁ ଯୋଜନା ମଧ୍ୟ ତିଆରି ହୋଇଛି। ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏବେ ତ୍ବରାନ୍ବିତ ହୋଇଛି।ପିଏନଜି ସଂଯୋଗରେ କୌଣସି ସମସ୍ୟା ଦେଖାଦେଲେ କମ୍ପାନୀମାନେ ବିକଳ୍ପ ବ୍ୟବସ୍ଥା ନେବେ ବୋଲି କୁହାଯାଇଛି। ବର୍ଷା ଆସିବା ପୂର୍ବରୁ ସମସ୍ତ କାମ ସରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ନୂତନ ଟେକ୍ନୋଲୋଜି ଦ୍ୱାରା କାମ କରାଯିବାରୁ ରାସ୍ତା ଅଧିକ ଖୋଳିବାକୁ ପଡ଼ିବ ନାହିଁ ଏବଂ ସାଧାରଣ ଲୋକଙ୍କ ଅସୁବିଧା କମିବ।

ମନ୍ତ୍ରୀ କହିଛନ୍ତି ଯେ, ଯାହା ୨୪ ବର୍ଷରେ ହୋଇନଥିଲା, ତାହା ୨୪ ମାସରେ ସାଧ୍ୟ ହେଉଛି। ପୂର୍ବତନ ସରକାରର ମେଟ୍ରୋ ପ୍ରକଳ୍ପ ବନ୍ଦ ନୁହେଁ, ବରଂ ସ୍ଥଗିତ ରହିଛି ଏବଂ ଏହା ଉପରେ ପୁନଃତର୍ଜମା ଚାଲିଛି। ଟେଷ୍ଟିଂ ସମୟରେ କିଛି ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଥିବାରୁ, ଲୋକଙ୍କୁ ଅସୁବିଧା ନ ହେବା ପାଇଁ କେନ୍ଦ୍ର ସହଯୋଗରେ ଯଥାଯଥ ଯୋଜନା କରାଯାଉଛି।ସେହିପରି ବର୍ତ୍ତମାନ ବାଇପାସ୍ ରୋଡ୍ ନିର୍ମାଣ ହେଉଥିବାରୁ ଆଗାମୀଦିନରେ ଟ୍ରାଫିକ ସମସ୍ୟା କମିବ ବୋଲି ଆଶା କରାଯାଉଛି।

ସରକାର କେବଳ ମେଟ୍ରୋ ପ୍ରକଳ୍ପରେ ସୀମିତ ନ ରହି, ସମଗ୍ର ଶହର ଉନ୍ନୟନକୁ ଗୁରୁତ୍ୱ ଦେଉଛନ୍ତି। ବଜେଟ୍‌ରେ ଭୁବନେଶ୍ୱର, କଟକ ଓ ପାରାଦୀପକୁ ଇକୋନୋମିକାଲ ଜୋନ୍ ଭାବେ ଉନ୍ନତ କରିବା ଘୋଷଣା ହୋଇଥିବାରୁ ରାଜ୍ୟର ଅର୍ଥନୀତି ମଜବୁତ ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଳ୍ପ ଖାତରେ ବିକାଶ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *