ନ୍ୟୁଜ ଡେକ୍ସ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ପାଇଁ ଓଲିଉଡର ଜଣାଶୁଣା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଭୁଲ୍ ବଶତଃ ଏଭଳି ପୋଷ୍ଟ କରିଥିଵା କହିଛନ୍ତି ବୁଦ୍ଧାଦିତ୍ୟ। ଏନେଇ ସେ ସମଗ୍ର କଂଗ୍ରେସ ପରିବାର ଓ ରାହୁଲ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏଭଳି ଭୁଲ୍ ନହେବା ପାଇଁ ଆଗକୁ ସତର୍କ ରହିଵି ବୋଲି କହିଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି।
ଖାଲି ସେତିକି ନୁହେଁ, ବିବାଦୀୟ ବୟାନକୁ ନେଇ ବିବାଦ ତେଜିବା ପରେ ସେ ତୁରନ୍ତ ପୋଷ୍ଟ ହଟାଇଦେଇଛନ୍ତି। ତେବେ ସୂଚନା ମୁତାବକ, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ କ୍ୟାପିଟାଲ ଥାନାରେ ଛାତ୍ର କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଥିଲା। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ଅଭିଯୋଗ କରିଥିଲା। ଏହି ଅଭିଯୋଗକୁ ପୁଲିସ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରୁଛି। ଅଭିଯୋଗ ଅନୁସାରେ, ଅଭିନେତା ବୁଦ୍ଧାଦିତ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ।
ଲରେନ୍ସଙ୍କ ଫଟୋ ପୋଷ୍ଟ କରି ରାହୁଲ ପରବର୍ତ୍ତୀ ଟାର୍ଗେଟ ବୋଲି ବୁଦ୍ଧାଦିତ୍ୟ ଲେଖିଥିବା ଅଭିଯୋଗରେ ଛାତ୍ର କଂଗ୍ରେସ ପକ୍ଷରୁ ଦର୍ଶାଯାଇଥିଲା। ଏହାକୁ ନେଇ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅକ୍ଟୋବର ୨୩ ସୁଦ୍ଧା ବୁଦ୍ଧାଦିତ୍ୟ ନିଜ ମନ୍ତବ୍ୟ ପାଇଁ କ୍ଷମା ନ ମାଗିଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲା ଯୁବ କଂଗ୍ରେସ। ଏହାପରେ ସେ କ୍ଷମା ଭିକ୍ଷା କରିଥିବା ଜଣାପଡ଼ିଛି।