Sat. Apr 18th, 2026

ନ୍ୟୁଜ ଡେକ୍ସ : କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହଳଦୀରେ ଭରପୁର ଔଷଧୀୟ ଗୁଣ ରହିଥିବା ଗବେଷଣାରୁ ପ୍ରମାଣ ମିଳିଛି । ଏହି କାରଣରୁ ଔଷଧ ପ୍ରସ୍ତୁତି ସହ ଜଡିତ ବ୍ୟବସାୟୀମାନେ କୋରାପୁଟ ହଳଦୀକୁ ବିଶେଷ ଗୁରୁତ୍ୱ ଦେଇଆସୁଛନ୍ତି । ଜିଲ୍ଲାରେ ଉତ୍ପାଦିତ ହଳଦୀର ଗୁଣଗତ ମାନ ଉଚ୍ଚ ଥିବାରୁ ଏହା ପ୍ରତି ଚାହିଦା ଦିନକୁ ଦିନ ବଢ଼ୁଛି ।ଏପରି ପରିସ୍ଥିତିରେ କୋରାପୁଟ ହଳଦୀକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ବିଭିନ୍ନ ମହଲରୁ ଦାବି ଜୋରଦାର ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ, କୋରାପୁଟର କଳାଜିରା ଧାନ ପୂର୍ବରୁ ଜିଆଇ ଟ୍ୟାଗ ପାଇଥିବାବେଳେ, ଏବେ ହଳଦୀକୁ ମଧ୍ୟ ସେହି ସ୍ୱୀକୃତି ମିଳିବା ପାଇଁ ପ୍ରୟାସ ଜାରି ରହିଛି । ୨୦୨୩ ମସିହାରୁ ଏହା ପାଇଁ ଆବେଦନ କରାଯାଇଥିବା ସୂଚନା ମିଳିଛି ।ଗବେଷଣା ଅନୁଯାୟୀ, କୋରାପୁଟ ହଳଦୀରେ କରକୁମିନ ନାମକ ଗୁରୁତ୍ୱପୂର୍ଣ୍ଣ ଆଣ୍ଟିବାୟୋଟିକ ଉପାଦାନ ଅଧିକ ପରିମାଣରେ ରହିଛି । ଏହି କରକୁମିନ ଗୁଣ ଦ୍ୱାରା କର୍କଟ ଭଳି ଗୁରୁତର ରୋଗକୁ ରୋକିବାରେ ଏହାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି । କନ୍ଧମାଳ ହଳଦୀରେ ଯେଉଁଠାରେ ୩ରୁ ୪ ପ୍ରତିଶତ କରକୁମିନ ରହିଥାଏ, ସେଠାରେ କୋରାପୁଟ ହଳଦୀରେ ୬.୧୯ ପ୍ରତିଶତ କରକୁମିନ ରହିଥିବା ଓରମାସ ସୂତ୍ରରୁ ଜଣାପଡ଼ିଛି । କୋରାପୁଟ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ହଳଦୀ ଚାଷ ହେଉଥିବା ବେଳେ ଲକ୍ଷ୍ମୀପୁର ବ୍ଲକରେ ସର୍ବାଧିକ ଉତ୍ପାଦନ ହେଉଛି ।

ଏଠାରେ ୧୦୭୧.୭୯ ହେକ୍ଟର ଜମିରେ ୨୯୬୭.୭୫ ମେଟ୍ରିକ ଟନ ହଳଦୀ ଉତ୍ପାଦନ ହେଉଥିବା ଉଦ୍ୟାନ ବିଭାଗ ଉପକୃଷି ନିର୍ଦେଶକ ସୁଦାମ ବିଶ୍ୱାଳ ସୂଚନା ଦେଇଛନ୍ତି ।ସେମିଳିଗୁଡା, ପଟାଙ୍ଗି, ନାରାୟଣପାଟଣା, ନନ୍ଦପୁର, ଲମତାପୁଟ, କୁନ୍ଦୁରା, କୋଟପାଡ଼, କୋରାପୁଟ, ଜୟପୁର, ଦଶମନ୍ତପୁର, ବୋରିଗୁମ୍ମା, ବୈପାରୀଗୁଡା ଓ ବନ୍ଧୁଗାଁ ଭଳି ବିଭିନ୍ନ ବ୍ଲକରେ ମଧ୍ୟ ହଳଦୀ ଚାଷ ବ୍ୟାପକ ଭାବେ ହେଉଛି । ଏହି ସମସ୍ତ ଅଞ୍ଚଳରୁ ଲକ୍ଷାଧିକ ମେଟ୍ରିକ ଟନ ହଳଦୀ ଉତ୍ପାଦନ ହୋଇ ଚାଷୀମାନଙ୍କ ପାଇଁ ଆୟର ଏକ ମୁଖ୍ୟ ଉତ୍ସ ହୋଇଉଠିଛି ।

ଚାଷୀମାନଙ୍କୁ ଏହି ଚାଷ ପାଇଁ ପ୍ରୋତ୍ସାହନ ଦେବାକୁ ସରକାର ପକ୍ଷରୁ ବିଭିନ୍ନ ରିଆତି ଓ ସହାୟତା ଯୋଗାଇ ଦିଆଯାଉଛି । ଏହାସହ କୋରାପୁଟ ହଳଦୀରୁ ତିଆରି ସାବୁନ ଓ ଗୁଣ୍ଡ ହଳଦୀର ଚାହିଦା ମଧ୍ୟ ବଜାରରେ ବେଶ ଭଲ ରହିଛି ବୋଲି ଓରମାସ ଡିପିଏମ ଉମା ମହେଶ କହିଛନ୍ତି । ସମଗ୍ର ଭାବେ ଦେଖିଲେ, କୋରାପୁଟ ହଳଦୀର ଉନ୍ନତ ଗୁଣଗତ ମାନ ଓ ବୃଦ୍ଧିଶୀଳ ଚାହିଦା ଏହାକୁ ଆନ୍ତର୍ଜାତୀୟ ମଞ୍ଚରେ ପରିଚିତ କରିବାର ସମ୍ଭାବନାକୁ ବଢ଼ାଇଦେଇଛି । ଜିଆଇ ଟ୍ୟାଗ ମିଳିଲେ ଏହା ଚାଷୀମାନଙ୍କ ପାଇଁ ଆହୁରି ଲାଭଜନକ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *