ନ୍ୟୁଜ ଡେକ୍ସ : ଖରାଦିନ ଆସିଲେ ବଜାରରେ ବିଭିନ୍ନ ପନିପରିବା ମଧ୍ୟରୁ ପୋଟଳର ଚାହିଦା ବଢ଼ିଯାଏ। ସ୍ୱାଦିଷ୍ଟ ହେବା ସହ ପୋଟଳ ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ମନାଯାଏ। ଭଜା କିମ୍ବା ତରକାରୀ ଭାବେ ଏହାକୁ ଖାଇବାକୁ ଲୋକମାନେ ବହୁତ ପସନ୍ଦ କରନ୍ତି। ବିଶେଷକରି ଋତୁଅନୁଯାୟୀ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଥିବାବେଳେ ପୋଟଳ ଖରାଦିନରେ ଏକ ସ୍ୱାସ୍ଥ୍ୟକର ବିକଳ୍ପ ହୋଇଉଠେ।
ପୋଟଳରେ ଭିଟାମିନ A, B1, B2 ଓ C ଭଳି ପୋଷକତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହାସହ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ଓ ଫସଫରସ ଭଳି ଖନିଜ ତତ୍ତ୍ୱ ମଧ୍ୟ ମିଳେ, ଯାହା ଶରୀରକୁ ସୁସ୍ଥ ରଖିବାରେ ମଦଦ କରେ।ଡାଇବେଟିସ୍ ରୋଗୀଙ୍କ ପାଇଁ ପୋଟଳ ବିଶେଷ ଉପକାରୀ ବୋଲି ମନାଯାଏ। ପୋଟଳ କିମ୍ବା ଏହାର ପତ୍ରରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀରର ଫୁଲା କମିଯାଏ। ସେଥିପାଇଁ ଡାଇବେଟିସ୍ ରୋଗୀଙ୍କୁ ଏହା ଆହାରରେ ରଖିବାକୁ ପରାମର୍ଶ ଦିଆଯାଏ। ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ପୋଟଳ ଲାଭଦାୟକ।
ଏଥିରେ ଥିବା ଫାଇବର ହଜମ ଶକ୍ତିକୁ ବଢ଼ାଇଥାଏ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ରକ୍ଷା କରେ। ପାକସ୍ଥଳୀକୁ ସୁସ୍ଥ ରଖିବା ସହ ପୋଟଳ ଚର୍ମ ସମସ୍ୟା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ପୋଟଳ ଏକ ଭଲ ବିକଳ୍ପ। ଏଥିରେ କ୍ୟାଲୋରୀ ଓ ଫ୍ୟାଟ୍ କମ୍ ଥାଏ ଏବଂ ଫାଇବର ଅଧିକ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭରା ଲାଗେ, ଯାହା ଓଜନ ନିୟନ୍ତ୍ରଣରେ ସହାୟକ।ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୋଟଳ ଉପକାରୀ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫେନୋଲ୍ ଶରୀରର ଅକ୍ସିଡେଟିଭ୍ ଷ୍ଟ୍ରେସ୍ କମାଇଥାଏ ଓ ରକ୍ତଚାପକୁ ସନ୍ତୁଳିତ ରଖେ। ସ୍ୱାଦ ଓ ସ୍ୱାସ୍ଥ୍ୟର ଦୁଇଟି ଗୁଣ ଏକାସାଥି ମିଳୁଥିବା ପୋଟଳ ଖରାଦିନରେ ଦୈନନ୍ଦିନ ଆହାରର ଅଂଶ କରିବା ଉଚିତ।

