ନ୍ୟୁଜ ଡେକ୍ସ : ଦେବଗଡ଼ ଜିଲ୍ଲା ପାଇଁ ଆସିଛି ଗର୍ବର ଖବର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଞ୍ଚମ ଶ୍ରେଣୀର ଭାଷା ମହକ ପାଠ୍ୟପୁସ୍ତକରେ ପ୍ରସିଦ୍ଧ ପ୍ରଧାନପାଟ ଜଳପ୍ରପାତ ସମ୍ପର୍କିତ ବିଷୟବସ୍ତୁକୁ ସ୍ଥାନ ଦିଆଯାଇଛି। ଏହା ଦ୍ୱାରା ପ୍ରଧାନପାଟର ଐତିହ୍ୟ ଓ ପର୍ଯ୍ୟଟନ ଗୁରୁତ୍ୱ ଆଉ ଏକ ନୂତନ ଅଧ୍ୟାୟ ସହ ଯୋଡ଼ାଯାଇଛି।ଏହି ବିଷୟବସ୍ତୁରେ ପ୍ରଧାନପାଟ ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟ, ବିଶେଷତ୍ୱ ଓ ଏଥି ସହ ଜଡ଼ିଥିବା ବିଭିନ୍ନ ଲୋକକଥାକୁ ଛାତ୍ରଛାତ୍ରୀଙ୍କ ପାଇଁ ସହଜ ଓ ଶିକ୍ଷଣୀୟ ଭାବେ ଉପସ୍ଥାପିତ କରାଯାଇଛି।
ଏହା ଛାତ୍ରମାନଙ୍କ ମନରେ ନିଜ ଅଞ୍ଚଳର ପରିଚୟ ଓ ସଂସ୍କୃତି ପ୍ରତି ଆଗ୍ରହ ବଢ଼ାଇବାରେ ସହାୟକ ହେବ।ପ୍ରଧାନପାଟ ପାଦଦେଶରେ ଅବସ୍ଥିତ ‘ବସନ୍ତ ନିବାସ’ ଓ ‘ଲଳିତ ନିବାସ’ ନାମକ ଦୁଇଟି ରମଣୀୟ ଶେଳନିବାସ ସମ୍ପର୍କରେ ମଧ୍ୟ ପାଠ୍ୟପୁସ୍ତକରେ ଉଲ୍ଲେଖ ରହିଛି। ପୂର୍ବତନ ରାଜା ବାସୁଦେବ ସୁଢଳଦେବ ଓ ରାଜା ସଚ୍ଚିତାନନ୍ଦ ତ୍ରିଭୁବନ ଦେବଙ୍କ ଶାସନ କାଳରେ ଏଠାରେ ବହୁ ବିଶିଷ୍ଟ କବି ଓ ସାହିତ୍ୟିକମାନେ ଆସି ସାହିତ୍ୟ ଚର୍ଚ୍ଚା କରୁଥିଲେ। ଆଜି ମଧ୍ୟ ବସନ୍ତ ନିବାସର କାନ୍ଥରେ ସେମାନଙ୍କ ଲେଖା ଖୋଦିତ ଅବସ୍ଥାରେ ଦେଖିବାକୁ ମିଳେ, ଯାହା ଏହି ସ୍ଥାନର ସାହିତ୍ୟିକ ଐତିହ୍ୟକୁ ଜୀବନ୍ତ ରଖିଛି।
ଏହା ସହିତ ମା’ ପଧାନୀ ବୁଢ଼ୀ ଦୈବୀ ଶକ୍ତିପୀଠ ଓ ନିକଟସ୍ଥ ପଞ୍ଚଖଣ୍ଡା ଶକ୍ତିପୀଠ ସମ୍ପର୍କରେ ମଧ୍ୟ ଛାତ୍ରମାନଙ୍କୁ ଅବଗତ କରାଯାଇଛି। ଭୁବନେଶ୍ୱରରୁ କିପରି ପର୍ଯ୍ୟଟକମାନେ ଦେବଗଡ଼କୁ ପହଞ୍ଚି ପ୍ରଧାନପାଟ ଭ୍ରମଣ କରିପାରିବେ, ସେଥିପାଇଁ ମଧ୍ୟ ସୂଚନା ଦିଆଯାଇଛି।ଏହି ପଦକ୍ଷେପ ଦ୍ୱାରା ଦେବଗଡ଼ର ପର୍ଯ୍ୟଟନ ସମ୍ଭାବନାକୁ ନୂତନ ଦିଗ ମିଳିବା ସହ ଛାତ୍ରଛାତ୍ରୀମାନେ ନିଜ ରାଜ୍ୟର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ଆହୁରି ଗଭୀର ଜ୍ଞାନ ଅର୍ଜନ କରିପାରିବେ।

