Sat. Apr 18th, 2026

ନ୍ୟୁଜ ଡେକ୍ସ : ପଶ୍ଚିମ ଏସିଆର ତିବ୍ର ଉତ୍ତେଜନା ଓ ହର୍ମୁଜ୍ ସଙ୍କଟ ମଧ୍ୟରେ ହଠାତ୍ ଆମେରିକାର ଏକ ବଡ଼ ନିଷ୍ପତ୍ତି ସାରା ବିଶ୍ୱର ଦୃଷ୍ଟିଆକର୍ଷଣ କରିଛି। ଯେଉଁଠାରେ ଦୁଇ ଦିନ ପୂର୍ବରୁ ଆମେରିକା ରୁଷୀୟ ତୈଳ ଉପରେ ଛାଡ଼ ବଢ଼ାଇବାକୁ ମନା କରିଥିଲା, ସେଠାରେ ଏବେ ଟ୍ରମ୍ପ ପ୍ରଶାସନ ହଠାତ୍ ୟୁ-ଟର୍ନ ନେଇ ଏହି ଛାଡ଼କୁ ପୁଣିଥରେ ବୃଦ୍ଧି କରିଛି। ଏହି ଅପେକ୍ଷାତୀତ ଘୋଷଣା ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତି ଭାବେ ଦେଖାଯାଉଛି।

ସୂଚନା ଅନୁସାରେ, ଆମେରିକା ପ୍ରାୟ ଗୋଟିଏ ମାସ ପାଇଁ ରୁଷଠାରୁ ତୈଳ କ୍ରୟ ଉପରେ ଛାଡ଼କୁ ବୃଦ୍ଧି କରିଛି। ଏହା ଦ୍ୱାରା ଭାରତ ପରି ଦେଶମାନେ ରୁଷୀୟ ତୈଳ କ୍ରୟ ଜାରି ରଖିପାରିବେ। ଯୁଦ୍ଧ ଓ ଭୂରାଜନୈତିକ ଉତ୍ତେଜନା ଯୋଗୁଁ ବିଶ୍ୱ ଶକ୍ତି ବଜାର ଉପରେ ଚାପ ବଢ଼ିଥିବା ବେଳେ ଏହି ନିଷ୍ପତ୍ତି ଚାପ କମେଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।ଆମେରିକାର ଟ୍ରେଜେରୀ ବିଭାଗ ଜାରି କରିଥିବା ନୂତନ ଲାଇସେନ୍ସିଂ ଅର୍ଡର ଅନୁସାରେ, ଏପ୍ରିଲ ୧୭ ରୁ ମେ ୧୬ ମଧ୍ୟରେ ପଠାଯାଇଥିବା ରୁଷୀୟ ତୈଳ କ୍ରୟ କରିବାକୁ ଦେଶମାନଙ୍କୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ଥିବା ୩୦ ଦିନର ଛାଡ଼ ଏପ୍ରିଲ ୧୧ରେ ସମାପ୍ତ ହୋଇଥିଲା। କିନ୍ତୁ ନୂତନ ନିଷ୍ପତ୍ତି ଦ୍ୱାରା ପୁଣିଥରେ ବଜାରରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି। ରିପୋର୍ଟ ଅନୁସାରେ, ଏହି ଛାଡ଼ କେବଳ ସମୁଦ୍ରରେ ଜାହାଜରେ ଥିବା ରୁଷୀୟ ତୈଳ ପାଇଁ ପ୍ରଯୁଜ୍ୟ।

ତଥାପି ଏହା ଭାରତ ପାଇଁ ଏକ ବଡ଼ ସୁଯୋଗ, କାରଣ ଭାରତ ଏହି ସମୟରେ ତୈଳ ଆମଦାନୀରେ ଚାପ ଅନୁଭବ କରୁଥିଲା।ଏହି ନିଷ୍ପତ୍ତି ପଛରେ ହର୍ମୁଜ୍ ସଙ୍କଟ ଓ ବିଶ୍ୱ ତୈଳ ବଜାରର ଅସ୍ଥିରତା ମୁଖ୍ୟ କାରଣ ଭାବେ ଦେଖାଯାଉଛି। ବିଶ୍ୱ ଶକ୍ତି ସୁରକ୍ଷାକୁ ଧ୍ୟାନରେ ରଖି ଆମେରିକା ଏହି ପଦକ୍ଷେପ ନେଇଥିବା କୁହାଯାଉଛି।ସମଗ୍ର ଘଟଣାକ୍ରମ ମଧ୍ୟରେ ଏକ ପ୍ରଶ୍ନ ଉଠୁଛି—ଏହା କି ଅସ୍ଥାୟୀ ରାହତ, ନା କି ଆଗାମୀ ଦିନରେ ଆଉ ବଡ଼ ପରିବର୍ତ୍ତନର ସଙ୍କେତ? ଏହାର ଉତ୍ତର ପାଇଁ ଏବେ ସମସ୍ତଙ୍କ ନଜର ଆମେରିକା ଓ ବିଶ୍ୱ ରାଜନୀତି ଉପରେ ରହିଛି।

Leave a Reply

Your email address will not be published. Required fields are marked *