ନ୍ୟୁଜ ଡେକ୍ସ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ର ଅବଧିକୁ ଆଉ ୯ ମାସ ବଢ଼ାଇଛନ୍ତି। ଏହା ଅନୁଯାୟୀ ଟ୍ରିବ୍ୟୁନାଲ୍ ୧୩ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହି ନୂତନ ସମୟସୀମା ମଧ୍ୟରେ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାକୁ ଯାଉଛି।
ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, କେନ୍ଦ୍ରର ମଧ୍ୟସ୍ଥତାରେ ଖୁବଶୀଘ୍ର ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବାର ସମ୍ଭାବନା ରହିଛି।ଛତିଶଗଡ଼ ପକ୍ଷରୁ ମହାନଦୀର ଉପର ମୁଣ୍ଡରେ ଅନେକ ବ୍ୟାରେଜ୍ ନିର୍ମାଣ କରାଯାଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ଏହାର ପରିଣାମରେ ଓଡ଼ିଶାରେ ଚାଷ ଓ ପାନୀୟ ଜଳ ସମସ୍ୟା ଗଭୀର ହେଉଛି। ଅନ୍ୟପଟେ ଛତିଶଗଡ଼ ନିଜ ରାଜ୍ୟର ବିକାଶ ପାଇଁ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ କରାଯାଇଥିବା ଯୁକ୍ତି ଦେଇଛି। ୨୦୨୬ ମସିହାରେ ଦୁଇ ରାଜ୍ୟର ଅନୁରୋଧକ୍ରମେ ଜଳଶକ୍ତି ମନ୍ତ୍ରଣାଳୟ ଟ୍ରିବ୍ୟୁନାଲ୍ର ସମୟସୀମା ବଢ଼ାଇଥିଲା।
୨୦୨୭ ଜାନୁଆରୀକୁ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଶେଷ ସମୟସୀମା ଭାବେ ଧାର୍ଯ୍ୟ କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୪୯ଟି ଶୁଣାଣି ସମ୍ପନ୍ନ ହୋଇସାରିଛି ଏବଂ ବର୍ତ୍ତମାନ ପ୍ରକ୍ରିୟା ଶେଷ ପର୍ଯ୍ୟାୟକୁ ପହଞ୍ଚିଛି।ଆସନ୍ତାକାଲିର ଶୁଣାଣିରେ ଦୁଇ ରାଜ୍ୟ ସୀମା ଦର୍ଶନ କରିଥିବା ଟ୍ରିବ୍ୟୁନାଲ୍ ଟିମ୍ର ରିପୋର୍ଟ ସହ ଆଗାମୀ ରୋଡମ୍ୟାପ୍ ଉପରେ ଆଲୋଚନା ହେବାକୁ ଥିବାରୁ ଏହାକୁ ଗୁରୁତ୍ୱ ଦିଆଯାଉଛି।

