Tue. Apr 21st, 2026

ନ୍ୟୁଜ ଡେକ୍ସ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ୧୨ ଫୁଟ ଲମ୍ବା ଧଉରା କାଠକୁ ବାରିକେଡ ଘେରାଇ ସୁରକ୍ଷିତ ଭାବେ ରଖାଯାଇଥିଲା। ପରମ୍ପରାଗତ ବନଯାଗ ବିଧି ଅନୁଯାୟୀ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଶୋତ୍ରୀୟ ବ୍ରାହ୍ମଣମାନେ ବିଧିବତ ପୂଜାର୍ଚ୍ଚନା କରିଥିଲେ।

ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ର ଉଚ୍ଚାରଣ ସହ କୁରାଢ଼ିକୁ ପୂଜା କରାଯାଇଥିଲା। ଅପରାହ୍ନ ୫ଟା ୩୦ ପରେ ତିନିଜଣ ପୂଜାପଣ୍ଡା ସାମନ୍ତ ତିନୋଟି ଆଜ୍ଞାମାଳ ନେଇ ପହଞ୍ଚିଥିଲେ। ମନ୍ତ୍ରଧ୍ୱନି ଓ ଧାର୍ମିକ ପରିବେଶ ମଧ୍ୟରେ ବିଶ୍ୱକର୍ମାମାନେ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରିଥିଲେ।ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅନୁଯାୟୀ ରଥ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନିର୍ମାଣ କାର୍ଯ୍ୟରେ ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ ଓ ଦେବଦାରୁ ଭଳି ବିଭିନ୍ନ ପ୍ରକାରର କାଠ ବ୍ୟବହୃତ ହୋଇଥାଏ।

ପ୍ରମୁଖ ନିର୍ମାଣକାରୀଙ୍କ ମସ୍ତକରେ ଶାଢିବନ୍ଧା ନୀତି ସମ୍ପାଦିତ ହୋଇଥିଲା, ଯାହା ଏହି ପବିତ୍ର କାର୍ଯ୍ୟର ଆରମ୍ଭକୁ ସୂଚିତ କରେ।ପୂଜାର୍ଚ୍ଚନା ସମାପ୍ତ ପରେ ବିଶ୍ୱକର୍ମାମାନେ ନୂତନ ଲୌହ କୁରାଢ଼ିକୁ ତିନୋଟି କାଠଖଣ୍ଡରେ ସ୍ପର୍ଶ କରି ମହାପ୍ରଭୁଙ୍କ ନିକଟରେ ରଥ ନିର୍ମାଣ କାର୍ଯ୍ୟ ସୁଚାରୁ ଭାବେ ସମ୍ପନ୍ନ ହେବା ପାଇଁ ପ୍ରାର୍ଥନା କରିଥିଲେ। ଏହାପରେ ଶ୍ରୀନହର ସମ୍ମୁଖ ଚାଳିରେ ତିନିଟି ରଥ ତିଆରି କାମର ଶୁଭାରମ୍ଭ ହୋଇଛି।ଏହି ପବିତ୍ର ଅବସରକୁ ନେଇ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ, ମହାପ୍ରଭୁଙ୍କ ବାର୍ଷିକ ରଥଯାତ୍ରା ପାଇଁ ପ୍ରସ୍ତୁତି ଏବେ ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *