ନ୍ୟୁଜ ଡେକ୍ସ : ଦେଶର ସର୍ବବୃହତ୍ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାମାନଙ୍କ ମଧ୍ୟରୁ ଗୋଟିଏ ଜେଇଇ ମେନ୍ ୨୦୨୬ ସେସନ-୨ର ଫଳାଫଳ ସୋମବାର ପ୍ରକାଶ ପାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଏହି ରେଜଲ୍ଟ ଘୋଷଣା କରାଯାଇଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ଓ nta.ac.in ମାଧ୍ୟମରେ ନିଜ ଫଳାଫଳ ଯାଞ୍ଚ କରିପାରିବେ।
ଏବେର ଫଳାଫଳ ଅନୁସାରେ, ମୋଟ ୨୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ମାର୍କ୍ସ ହାସଲ କରି ଶୀର୍ଷ ସ୍ଥାନ ଦଖଳ କରିଛନ୍ତି। ଏହା ସହ ଏହି ପରୀକ୍ଷାରେ ଦେଶବ୍ୟାପୀ ଭାବେ ବିପୁଳ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଏପ୍ରିଲ୍ ୨ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ସେସନ-୨ ପରୀକ୍ଷାରେ ପ୍ରାୟ ୧୧.୨୩ ଲକ୍ଷ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ। ଏହା ଦେଶର ଯୁବ ପିଢିର ଇଞ୍ଜିନିୟରିଂ ପ୍ରତି ଆଗ୍ରହକୁ ପୁନର୍ବାର ପ୍ରମାଣ କରିଛି।
ଜେଇଇ ମେନ୍ ପରୀକ୍ଷାରେ ଶ୍ରେଷ୍ଠ ୨,୫୦,୦୦୦ ପ୍ରାର୍ଥୀ ଜେଇଇ ଆଡଭାନ୍ସଡ୍ ପାଇଁ ଯୋଗ୍ୟ ହେବେ, ଯାହା ମାଧ୍ୟମରେ ଭାରତୀୟ ପ୍ରୌଦ୍ୟୋଗିକୀ ସଂସ୍ଥାନ (ଆଇଆଇଟି)ରେ ପ୍ରବେଶ ମିଳେ। ଜେଇଇ ଆଡଭାନ୍ସଡ୍ ୨୦୨୬ ପାଇଁ ପଞ୍ଜୀକରଣ ଏପ୍ରିଲ୍ ୨୩ରୁ ଆରମ୍ଭ ହୋଇ ମେ ୨ରେ ଶେଷ ହେବ। ପରୀକ୍ଷା ମେ ୧୭ରେ ଅନୁଷ୍ଠିତ ହେବାକୁ ଥିବାବେଳେ, ଏହା ପାଇଁ ଏବେଠାରୁ ପ୍ରସ୍ତୁତି ଜୋରଦାର ହୋଇଛି।ଫଳାଫଳ ପ୍ରକାଶ ପାଇବା ପରେ ଦେଶ ଭରିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି।

