Wed. Apr 22nd, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ଦିନକୁ ଦିନ ବଢ଼ୁଛି ତାତିର ପ୍ରକୋପ। ମଙ୍ଗଳବାର ଝାରସୁଗୁଡ଼ାରେ ସର୍ବାଧିକ ୪୩.୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁର ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ ରହିଥିଲା। ସେହିପରି ସୁନ୍ଦରଗଡ଼ ଓ ତାଳଚେରରେ ୪୧.୫ ଡିଗ୍ରୀ, ହୀରାକୁଦରେ ୪୨.୪ ଡିଗ୍ରୀ ଓ ବଲାଙ୍ଗିରରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଏହା ସହିତ ସୁବର୍ଣ୍ଣପୁରରେ ୪୧.୭, ଭବାନୀପାଟଣାରେ ୪୦.୫, ବୌଦ୍ଧରେ ୪୦.୭, ନୟାଗଡ଼ ଓ ଭଦ୍ରକରେ ୪୦ ଡିଗ୍ରୀ ରହିଥିଲା। ଢେଙ୍କାନାଳ, ଖୋରଧା ଓ ରାଉରକେଲାରେ ମଧ୍ୟ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଥିଲା। ରାଜଧାନୀ ଭୁବନେଶ୍ବରରେ ୩୭.୯ ଡିଗ୍ରୀ ଓ କଟକରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଛି।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ପରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ବୁଧବାର ବଲାଙ୍ଗିର ଓ ଟିଟିଲାଗଡ଼ରେ ପାରଦ ୪୫ ଡିଗ୍ରୀ ଟପିବାର ଆଶଙ୍କା ରହିଛି। ଉପକୂଳ ଅଞ୍ଚଳକୁ ଛାଡ଼ି ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା ଆହୁରି ବଢ଼ିବ।

ଦକ୍ଷିଣ ଓଡ଼ିଶାରେ ମଧ୍ୟ ତାତିର ପ୍ରଭାବ ଦେଖାଯିବ। ମାଲକାନଗିରିରେ ୪୨ ଡିଗ୍ରୀ ଟପିବା ସମ୍ଭାବନା ଥିବାବେଳେ ନବରଙ୍ଗପୁର, ଭବାନୀପାଟଣା, ନୂଆପଡ଼ା ଓ ରାୟଗଡ଼ାରେ ପାରଦ ୪୨ ଡିଗ୍ରୀ ପାଖାପାଖି ରହିପାରେ।ଏପରିସ୍ଥିତିରେ କିଛି ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ମଧ୍ୟ ଦେଖାଯାଇଛି। ମଙ୍ଗଳବାର ଅପରାହ୍ଣରେ କୋରାପୁଟ, ନବରଙ୍ଗପୁର, ପାରଳାଖେମୁଣ୍ଡି ଓ ମାଲକାନଗିରିରେ ବଜ୍ରପାତ ସହିତ ବର୍ଷା ହୋଇଛି।ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତସିଂହପୁର, ଖୋରଧା, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି।

କେତେକ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି।ଏହା ସହିତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଉଷ୍ଣ ଆର୍ଦ୍ରତା ପାଇଁ ଗରମ ସହିତ ଗୁଳୁଗୁଳି ଅନୁଭବ ହେବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *