Thu. Apr 23rd, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ପୌର ନିର୍ବାଚନ ବ୍ୟବସ୍ଥାରେ ଆସନ୍ତା ୨୦୨୭ ନିର୍ବାଚନକୁ ନଜରରେ ରଖି ବଡ଼ ପରିବର୍ତ୍ତନ ଆସିପାରେ। ସରକାର ପକ୍ଷରୁ ମେୟର ଓ ପୌରାଧ୍ୟକ୍ଷଙ୍କ ନିର୍ବାଚନ ପ୍ରଣାଳୀକୁ ପୁଣିଥରେ ବଦଳାଇବା ପାଇଁ ଚର୍ଚ୍ଚା ଜୋରଦାର ହୋଇଛି। ସୂଚନା ଅନୁଯାୟୀ, ଏଥର ସିଧାସଳଖ ଭୋଟ୍‌ ପ୍ରଣାଳୀକୁ ବଦଳାଇ ପରୋକ୍ଷ ଭାବେ ମେୟର ଓ ପୌରାଧ୍ୟକ୍ଷଙ୍କୁ ଚୟନ କରାଯିବ।

ସ୍ମରଣୀୟ ଯେ, ୨୦୨୨ରେ ରାଜ୍ୟର ସମସ୍ତ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍‌ଏସିରେ ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ଭୋଟ୍‌ ମାଧ୍ୟମରେ ମେୟର ଓ ପୌରାଧ୍ୟକ୍ଷଙ୍କୁ ଚୟନ କରାଯାଇଥିଲା। ସେତେବେଳେ ଜନସାଧାରଣ ସିଧାସଳଖ ଭାବେ ନେତୃତ୍ୱ ବାଛିଥିଲେ। କିନ୍ତୁ ବର୍ତ୍ତମାନ ପୁଣି ସେହି ପ୍ରଣାଳୀକୁ ବଦଳାଇବା ପାଇଁ ସରକାରୀ ମହଳରେ ପ୍ରସ୍ତୁତି ଚାଲିଛି।ନୂଆ ପ୍ରସ୍ତାବ ଅନୁସାରେ, ନିର୍ବାଚିତ କର୍ପୋରେଟରମାନେ ମେୟରଙ୍କୁ ବାଛିବେ ଓ କାଉନ୍ସିଲରମାନେ ପୌରାଧ୍ୟକ୍ଷଙ୍କୁ ନିର୍ବାଚନ କରିବେ। ଏହି ପରିବର୍ତ୍ତନ ପାଇଁ ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ, ୨୦୦୩ ଓ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍‌ ଆକ୍ଟ, ୨୦୦୩ରେ ସଂଶୋଧନ ଆଣାଯିବାର ସମ୍ଭାବନା ରହିଛି। ୨୦୧୮ରେ ହୋଇଥିବା ସଂଶୋଧନ ମାଧ୍ୟମରେ ପ୍ରତ୍ୟକ୍ଷ ନିର୍ବାଚନ ପ୍ରଣାଳୀ ଲାଗୁ ହୋଇଥିଲେ ମଧ୍ୟ, ଏବେ ପୁଣି ପରୋକ୍ଷ ପ୍ରଣାଳୀକୁ ଫେରିବା ଯୋଜନା ହେଉଛି।

ଏହାସହ ଅନେକ ପୌରସଂସ୍ଥାରେ ୱାର୍ଡ ସଂଖ୍ୟା ବୃଦ୍ଧି, ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥାରେ ବଦଳ ଆଣିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ରାଜନୈତିକ ମହଳରେ ଏହି ପ୍ରସ୍ତାବକୁ ନେଇ ତର୍କ ବଢ଼ୁଥିବା ବେଳେ, ଶାସକ ଦଳ ଏହାକୁ ଆଗାମୀ ନିର୍ବାଚନରେ ରଣନୀତି ଭାବେ ଦେଖୁଥିବା କୁହାଯାଉଛି।ସୂଚନା ଅନୁଯାୟୀ, ଏହି ପ୍ରସ୍ତାବକୁ ଶୀଘ୍ର କ୍ୟାବିନେଟ୍‌ରେ ଅନୁମୋଦନ ପାଇଁ ରଖାଯିବ ଏବଂ ପରେ ବିଧାନସଭାରେ ପାସ୍‌ କରାଯିବ। ଯଦି ଏହା କାର୍ଯ୍ୟକରୀ ହୁଏ, ତେବେ ଓଡ଼ିଶାର ପୌର ନିର୍ବାଚନ ବ୍ୟବସ୍ଥାରେ ଆଉ ଗୋଟିଏ ଐତିହାସିକ ପରିବର୍ତ୍ତନ ଦେଖାଯିବ।

Leave a Reply

Your email address will not be published. Required fields are marked *