ନ୍ୟୁଜ ଡେକ୍ସ : ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଜନଗଣନା କାର୍ଯ୍ୟରେ ବଡ଼ ପରିବର୍ତ୍ତନ ଆଣାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ସ୍ଥଗିତ ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରଗଣ୍ୟ କରି ଏହି ନିଷ୍ପତ୍ତି ନିଆଯାଇଛି।ପ୍ରଥମ ପର୍ଯ୍ୟାୟ ଜନଗଣନାକୁ ନେଇ ଲୋକସେବା ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।ବର୍ତ୍ତମାନ ରାଜ୍ୟରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆବାସ ଗଣନା ୧୬ ଏପ୍ରିଲରୁ ୧୫ ମେ ପର୍ଯ୍ୟନ୍ତ ଚାଲିଛି। ଏହି ସମୟରେ ଅଧିକାରୀମାନେ ଘରେଘରେ ଯାଇ ଘରର ଅବସ୍ଥା, ପାରିବାରିକ ସୁବିଧା ଓ ପରିବାର ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରୁଛନ୍ତି। କିନ୍ତୁ ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏହି କାର୍ଯ୍ୟରେ ବିପଦ ସମ୍ଭାବନା ବଢ଼ିଥିବାରୁ ସରକାର ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତ ଜିଲ୍ଲାପାଳ ଓ ପ୍ରମୁଖ ଜନଗଣନା ଅଧିକାରୀଙ୍କୁ ଚିଠି ଲେଖି ଜନଗଣନାକାରୀଙ୍କୁ ନିୟମିତ ଟ୍ରାକ୍ କରିବା, ସମ୍ଭାବ୍ୟ ବିପଦ ଚିହ୍ନଟ କରିବା ଓ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ସଚେତନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
ଏହାସହ ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀଙ୍କ ପ୍ରାଥମିକ ଆବଶ୍ୟକତା ଯାଞ୍ଚ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ମିଳିଛି। ସୁରକ୍ଷା ପାଇଁ ଏସଓପି ଜାରି କରି ପୋଲିସ ପ୍ରଶାସନକୁ ମଧ୍ୟ ସଜାଗ ରଖିବାକୁ କୁହାଯାଇଛି।ଜନଗଣନା କାର୍ଯ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୁଖ୍ୟ ଭୂମିକାରେ ଥିବାରୁ ବିଦ୍ୟାଳୟରେ ପାଠପଢ଼ା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପ୍ରଭାବିତ ନ ହେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଖରାଛୁଟି ସମୟରେ ଅନଲାଇନ୍ ଶିକ୍ଷାଦାନ ବିଷୟରେ ମଧ୍ୟ ଆଲୋଚନା ହୋଇଛି।ଯଦି ଜନଗଣନା କାର୍ଯ୍ୟ ସମୟରେ କୌଣସି ମୃତାହତ ଘଟଣା ଘଟେ, ତେବେ ବିପର୍ଯ୍ୟୟ ପାଣ୍ଠି, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି କିମ୍ବା ରେଡକ୍ରସ୍ ପାଣ୍ଠିରୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ସରକାର ପକ୍ଷରୁ ସୂଚନା ମିଳିଛି।

