ନ୍ୟୁଜ ଡେକ୍ସ : ରାଜ୍ୟର ବିଭିନ୍ନ ସ୍ଥାନର ନାମକୁ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ କରିବା ପାଇଁ ଇଂରାଜୀ ବନାନ ସଂଶୋଧନ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୂତନ ସୂଚନା ଜାରି କରାଯାଇଛି। ସୁପାରିଶ ହୋଇଥିବା ପ୍ରସ୍ତାବଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ପାଇଁ ରଖାଯାଇଥିବା ସହ ଏହା ଉପରେ ମତାମତ ଓ ପରାମର୍ଶ ଆହ୍ୱାନ କରାଯାଇଛି।
ପୂର୍ବରୁ ଜାରି ହୋଇଥିବା ସାର୍ବଜନୀନ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟର ଜିଲ୍ଲା, ଜିଲ୍ଲା ସଦର, ଉପଖଣ୍ଡ, ତହସିଲ ଓ ବ୍ଲକ୍ଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ନାମ ଯଦି ମୂଳ ଓଡ଼ିଆ ନାମରୁ ବିଚ୍ଛିନ୍ନ ହୋଇଥାଏ, ସେଗୁଡ଼ିକୁ ପୁନଃସଂଶୋଧନ ପାଇଁ ସାଧାରଣ ଲୋକ ଓ ଜନପ୍ରତିନିଧିଙ୍କ ଠାରୁ ପ୍ରସ୍ତାବ ମାଗାଯାଇଥିଲା। ଏହି ପ୍ରକ୍ରିୟାରେ ବହୁ ପରାମର୍ଶ ଓ ପ୍ରସ୍ତାବ ମିଳିଥିବା ଜଣାପଡ଼ିଛି।ଏହି ସମସ୍ତ ପ୍ରସ୍ତାବକୁ ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ସମୀକ୍ଷା କରାଯାଇଛି। କମିଟି ଦ୍ୱାରା ସୁପାରିଶ ହୋଇଥିବା ପ୍ରସ୍ତାବଗୁଡ଼ିକୁ ଏବେ ସାଧାରଣ ଲୋକଙ୍କ ମତାମତ ପାଇଁ ଖୋଲା ରଖାଯାଇଛି।
ଉକ୍ତ ପ୍ରସ୍ତାବଗୁଡ଼ିକ ଉପରେ ଜନପ୍ରତିନିଧି ଓ ସାଧାରଣ ନାଗରିକମାନେ ତାଙ୍କର ସୁଚିନ୍ତିତ ମତାମତ ଏପ୍ରିଲ୍ ୨୨ ତାରିଖଠାରୁ ଗୋଟିଏ ମାସ ମଧ୍ୟରେ ପଠାଇପାରିବେ। ଏହି ମତାମତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଲୋକସେବା ଭବନ, ଭୁବନେଶ୍ୱର ଠିକଣାକୁ ପତ୍ର ମାଧ୍ୟମରେ କିମ୍ବା ଇ-ମେଲ୍ ମାଧ୍ୟମରେ ପ୍ରେରଣ କରିବାକୁ ଅନୁରୋଧ କରାଯାଇଛି।ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଓଡ଼ିଆ ଭାଷାର ମୂଳ ରୂପ ଓ ଉଚ୍ଚାରଣକୁ ସଠିକ୍ ଭାବେ ପୁନଃସ୍ଥାପିତ କରିବା ସହ ରାଜ୍ୟର ସାଂସ୍କୃତିକ ପରିଚୟକୁ ଆହୁରି ସୁଦୃଢ଼ କରିବାର ଲକ୍ଷ୍ୟ ରହିଛି।

