ନ୍ୟୁଜ ଡେକ୍ସ : ଭାରତ ସରକାରଙ୍କ ଖାଦ୍ୟ ନିରାପତ୍ତା ମାନକ ପ୍ରାଧିକରଣ(FSSAI) ପକ୍ଷରୁ ଫଳ ପଚାଇବା ପାଇଁ କାର୍ବାଇଡ୍ ଓ ଲିକ୍ୟୁଇଡ୍ ବ୍ୟବହାର ଉପରେ କଟକଣା ରହିଥିଲେ ମଧ୍ୟ ରାଜ୍ୟରେ ଏହାର ଖୋଲାମେଲା ଉଲ୍ଲଂଘନ ହେଉଥିବା ଅଭିଯୋଗ ଆସୁଛି। ଫଳ ଗୋଦାମ ଓ ବ୍ୟବସାୟୀଙ୍କ ଦୋକାନରେ ନିୟମିତ ଯାଞ୍ଚ କରିବାକୁ ଖାଦ୍ୟ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଥିଲେ ମଧ୍ୟ ପ୍ରୟୋଗ ଦୃଢ ନହେବାରୁ କିଛି ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି।
ବିଶେଷ କରି ଆମ୍ବ, କଦଳୀ ଓ ଅମୃତଭଣ୍ଡାରେ ଅଧିକ ମାତ୍ରାରେ କାର୍ବାଇଡ୍ ଓ ରାସାୟନିକ ଲିକ୍ୟୁଇଡ୍ ବ୍ୟବହାର କରି ଫଳ ପକାଯାଉଛି ଏବଂ ପରେ ସେଗୁଡ଼ିକୁ ବଜାରରେ ବିକ୍ରି କରାଯାଉଛି। ଏହା ଫଳର ପ୍ରାକୃତିକ ସ୍ୱାଦକୁ ନଷ୍ଟ କରିବା ସହିତ ଗ୍ରାହକଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ଗ୍ରାହକମାନେ ଏଭଳି ଫଳ ଖାଇ ଅଜାଣତେ ରୋଗକୁ ଆମନ୍ତ୍ରଣ କରୁଥିବା ନେଇ ଚିନ୍ତା ବ୍ୟକ୍ତ କରୁଛନ୍ତି।କଟକର ଛତ୍ରବଜାରରେ ପ୍ରାୟ ୧୦୦ରୁ ଅଧିକ ଫଳ ଗୋଦାମ ରହିଛି। ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପରିମାଣରେ ଫଳ ଏଠାକୁ ଆସୁଛି ଏବଂ ଛୋଟ ବଡ଼ ବ୍ୟବସାୟୀମାନେ ଏଠାରୁ ଫଳ କିଣି ବିକ୍ରି କରୁଛନ୍ତି। ଚାହିଦା ବଢିଥିବାରୁ ବ୍ୟବସାୟୀମାନେ କଞ୍ଚା ଓ ଦରପାଚିଲା ଫଳ ଆଣି ଏଠାରେ କାର୍ବାଇଡ୍ ବ୍ୟବହାର କରି ପକାଇ ଦେଉଛନ୍ତି।ଫଳ ଗୋଦାମ ମାଲିକ ମନୋଜ ବେହେରାଙ୍କ କହିବା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ରାଜମନ୍ଦିର, ପାର୍ବତୀପୁର ଓ ଅନ୍ୟାନ୍ୟ ଅଞ୍ଚଳରୁ ପ୍ରତିଦିନ କଦଳୀ ଗାଡ଼ି ଆସୁଛି। ଓଡ଼ିଶାର କଳାପଥର ଓ ଛେଣ୍ଡିପଦା ଅଞ୍ଚଳରୁ ମଧ୍ୟ କଦଳୀ ଆଣାଯାଉଛି।
ସେହିପରି ଆନ୍ଧ୍ର, ମହାରାଷ୍ଟ୍ର ଓ ବେଙ୍ଗାଲୁରୁରୁ ଆମ୍ବ ଓ ଅମୃତଭଣ୍ଡା ଗାଡ଼ି ଆସୁଥାଏ। ଖରାଦିନରେ ପାଚିଲା ଫଳ ଆଣିଲେ ରାସ୍ତାରେ ନଷ୍ଟ ହେବାର ଆଶଙ୍କା ଥାଏ, ତେଣୁ କଞ୍ଚା ଫଳ ଆଣି କାର୍ବାଇଡ୍ ଦେଇ ପକାଇବାକୁ ସେମାନେ ବାଧ୍ୟ ହେଉଥିବା କହିଛନ୍ତି।ଏହି ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯଥେଷ୍ଟ ଯାଞ୍ଚ ନହେବା ନେଇ ପ୍ରଶ୍ନ ଉଠିଛି। କିଛି ବର୍ଷ ଧରି ନିୟମିତ ଚଢ଼ଉ ହେଉ ନଥିବାରୁ ବ୍ୟବସାୟୀମାନେ ନିୟମ ଉଲ୍ଲଂଘନ କରିବାରେ ସାହସ ପାଉଛନ୍ତି ବୋଲି ଅଭିଯୋଗ ହେଉଛି।
ଏନେଇ ନଗର ସ୍ୱାସ୍ଥ୍ୟ ଅଧିକାରୀ ନୃପେନ୍ଦୁ ଶତପଥୀ କହିଛନ୍ତି ଯେ, ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଶୀଘ୍ର ପଦକ୍ଷେପ ନିଆଯିବ। FSSAI ନିୟମ ଅନୁସାରେ ଫଳର ମାନ ଯାଞ୍ଚ କରାଯିବ ଏବଂ କାର୍ବାଇଡ୍ ବ୍ୟବହାର କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ। ଏହାସହିତ ଆଗାମୀ ଦିନରେ ନିୟମିତ ଚଢ଼ଉ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

