Tue. Apr 28th, 2026

ନ୍ୟୁଜ ଡେକ୍ସ : ମହାକାଶ ଯାତ୍ରା ଆଉ କେବଳ ବୈଜ୍ଞାନିକ କିମ୍ବା ସାମରିକ ପାଇଲଟଙ୍କ ପାଇଁ ସୀମିତ ରହିବ ନାହିଁ। ସାଧାରଣ ନାଗରିକମାନେ ମଧ୍ୟ ଆଗାମୀ ଦିନରେ ମହାକାଶକୁ ଯାଇପାରିବେ। ଏହି ଦିଗରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏକ ବଡ଼ ଓ ବିପ୍ଳବୀ ପଦକ୍ଷେପ ନେଇଛି, ଯାହା ଦେଶର ମହାକାଶ ଇତିହାସରେ ନୂତନ ଅଧ୍ୟାୟ ଯୋଡ଼ିବ।

ସୂଚନା ଅନୁଯାୟୀ, ଇସ୍ରୋ ଏବେ ତାଙ୍କର ମହାକାଶଚାରୀ କ୍ୟାଡରକୁ ସାଧାରଣ ନାଗରିକଙ୍କ ପାଇଁ ମଧ୍ୟ ଖୋଲିବାକୁ ଯାଉଛି। ଏପର୍ଯ୍ୟନ୍ତ ମହାକାଶ ମିଶନରେ ବାୟୁସେନାର ପାଇଲଟଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲେ ମଧ୍ୟ, ଭବିଷ୍ୟତର ଗଗନଯାନ ମିଶନରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ (STEM) କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ ସାମିଲ ହେବେ।ଇସ୍ରୋର ମହାକାଶଚାରୀ ଚୟନ କମିଟି ଏହି ନୂତନ ଯୋଜନାରେ ବିବିଧତାକୁ ଗୁରୁତ୍ୱ ଦେଇଛି। ଆଗାମୀ ବ୍ୟାଚ୍‌ରେ ବାୟୁସେନା ପାଇଲଟଙ୍କ ସହ ଚାରିଜଣ ସାଧାରଣ ନାଗରିକଙ୍କୁ ନେଇ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ କରାଯିବ। ଏହା କେବଳ ଯାତ୍ରା ନୁହେଁ, ମହାକାଶରେ ଗବେଷଣା ଓ ବୈଷୟିକ କାର୍ଯ୍ୟ ପାଇଁ ମଧ୍ୟ ଏକ ବଡ଼ ସୁଯୋଗ ହେବ। ତେବେ ଜଣେ ମହାକାଶଚାରୀ ପ୍ରସ୍ତୁତ କରିବା ପ୍ରକ୍ରିୟା ଅତ୍ୟନ୍ତ କଠିନ।

ଇସ୍ରୋ ମାନଦଣ୍ଡ ଅନୁଯାୟୀ, ଏକ ମିଶନ ପାଇଁ ପୂରା ତିଆରି କରିବାକୁ ପ୍ରାୟ ୫୪ ମାସ, ଅର୍ଥାତ୍ ସାଢ଼େ ଚାରି ବର୍ଷ ଟ୍ରେନିଂ ଆବଶ୍ୟକ। ଏହି ପ୍ରଶିକ୍ଷଣରେ ଶାରୀରିକ ସୁସ୍ଥତାରୁ ଆରମ୍ଭ କରି ବୈଷୟିକ ଦକ୍ଷତା ପର୍ଯ୍ୟନ୍ତ ସବୁକିଛି କଠୋର ଭାବେ ପରୀକ୍ଷା କରାଯିବ।ଯଦିଓ ଦ୍ୱିତୀୟ ବ୍ୟାଚ୍‌ରେ ସାଧାରଣ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି, ସେମାନଙ୍କର ମହାକାଶ ଯାତ୍ରା ଚତୁର୍ଥ ମାନବ ମିଶନରୁ ଆରମ୍ଭ ହେବ। ପ୍ରଥମେ ପ୍ରଯୁକ୍ତିବିଦ୍ୟାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପରିପକ୍ୱ କରିବା ପରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯିବ ବୋଲି ଇସ୍ରୋ ଜଣାଇଛି।ଇସ୍ରୋର ମହତ୍ୱାକାଂକ୍ଷୀ ଗଗନଯାନ ମିଶନ ୨୦୨୭ରେ ଆରମ୍ଭ ହେବାକୁ ଯାଉଛି। ଏହି ତିନି ଦିନିଆ ମିଶନରେ ତିନିଜଣ ମହାକାଶଚାରୀଙ୍କୁ ପୃଥିବୀରୁ ପ୍ରାୟ ୪୦୦ କିଲୋମିଟର ଉପରେ କକ୍ଷପଥରେ ପଠାଯିବ। ପ୍ରଥମ ବ୍ୟାଚ୍‌ରେ ଭାରତୀୟ ବାୟୁସେନାର ଅଭିଜ୍ଞ ପାଇଲଟମାନେ ସାମିଲ ହେବେ।

ଭବିଷ୍ୟତକୁ ଦୃଷ୍ଟିରେ ରଖି, ଇସ୍ରୋ ଏକ ସ୍ଥାୟୀ ମହାକାଶଚାରୀ କ୍ୟାଡର ଗଢ଼ିବାକୁ ଯୋଜନା କରୁଛି। ପ୍ରତିବର୍ଷ ଦୁଇଟି କ୍ରୁଡ୍ ମିଶନ ପଠାଇବା ଲକ୍ଷ୍ୟ ସହ, ପ୍ରାୟ ୪୦ ଜଣ ମହାକାଶଚାରୀଙ୍କ ଏକ ଶକ୍ତିଶାଳୀ ଦଳ ତିଆରି କରାଯିବ। ତୃତୀୟ ବ୍ୟାଚ୍‌ରେ ଅଧିକାଂଶ ସଦସ୍ୟ ସାଧାରଣ ନାଗରିକ ହେବା ଯୋଜନା ରହିଛି।ଏହି ପଦକ୍ଷେପ ଭାରତକୁ ବିଶ୍ୱର ଏମିତି କିଛି ଦେଶ ମଧ୍ୟରେ ଶାମିଲ କରିବ, ଯେଉଁଠାରେ ସାଧାରଣ ନାଗରିକମାନେ ମହାକାଶ ଯାତ୍ରାର ସୁଯୋଗ ପାଇପାରିବେ। ଏହା ସହିତ ଭାରତର ବୈଜ୍ଞାନିକ କ୍ଷମତା ଓ ଆତ୍ମନିର୍ଭରତାର ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି ହେବ।

Leave a Reply

Your email address will not be published. Required fields are marked *