ନ୍ୟୁଜ ଡେକ୍ସ : ମାସର ପ୍ରଥମ ଦିନ ମେ’ ୧ ତାରିଖରେ ଦେଶବାସୀଙ୍କୁ, ବିଶେଷକରି ବ୍ୟବସାୟୀମାନଙ୍କୁ ଲାଗିଛି ମହଙ୍ଗା ମାଡ଼। ତୈଳ ଓ ଗ୍ୟାସ୍ ମାର୍କେଟିଂ କମ୍ପାନୀମାନେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ବଡ଼ ଧରଣର ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ ସିଧାସଳଖ ଭାବେ ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଓ ଛୋଟ ବ୍ୟବସାୟୀଙ୍କ ଉପରେ ପଡ଼ିବାକୁ ଯାଉଛି।
ସୂଚନା ଅନୁଯାୟୀ, କମର୍ସିଆଲ୍ ସିଲିଣ୍ଡର ପିଛା ଏକାଥରେ ୯୯୩ ଟଙ୍କା ବୃଦ୍ଧି କରାଯାଇଛି। ଏହି ନୂଆ ଦର ଆଜିଠାରୁ ସମଗ୍ର ଦେଶରେ ଲାଗୁ ହୋଇସାରିଛି। ଦରବୃଦ୍ଧି ପରେ ଦିଲ୍ଲୀରେ ୧୯ କେଜିଆ କମର୍ସିଆଲ୍ ସିଲିଣ୍ଡର ମୂଲ୍ୟ ୩୦୭୧.୫୦ ଟଙ୍କାରେ ପହଞ୍ଚିଛି, ଯାହା ବ୍ୟବସାୟୀ ମହଳରେ ଚିନ୍ତା ବଢ଼ାଇ ଦେଇଛି।ପ୍ରତି ମାସର ପ୍ରଥମ ତାରିଖରେ ଅନ୍ତର୍ଜାତୀୟ ବଜାର ସ୍ଥିତିକୁ ଆଧାର କରି ତୈଳ କମ୍ପାନୀମାନେ ଗ୍ୟାସ୍ ଦରର ସମୀକ୍ଷା କରିଥାନ୍ତି। ଏହିଥର ହୋଇଥିବା ଭାରି ବୃଦ୍ଧି ଫଳରେ ବ୍ୟବସାୟ ଖର୍ଚ୍ଚ ବଢ଼ିବା ସହ ସେବା ମୂଲ୍ୟ ମଧ୍ୟ ବଢ଼ିବାର ଆଶଙ୍କା ରହିଛି।
ତେବେ ଅନ୍ୟପଟେ ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହେଉଛି ଯେ ଘରୋଇ ୧୪.୨ କେଜିଆ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବ ଦରରେ ହିଁ ଏହା ଉପଲବ୍ଧ ରହିଛି, ଯାହାରୁ ଗୃହସ୍ଥ ବଜେଟ୍ ଉପରେ ଅତିରିକ୍ତ ବୋଝ ପଡ଼ିବ ନାହିଁ। କିନ୍ତୁ କମର୍ସିଆଲ୍ ଗ୍ୟାସ୍ ମହଙ୍ଗା ହେବାରୁ ଷ୍ଟ୍ରିଟ୍ ଫୁଡ୍ ଠାରୁ ଆରମ୍ଭ କରି ବଡ଼ ହୋଟେଲ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟପେୟ ସାମଗ୍ରୀର ଦାମ ବଢ଼ିବା ପ୍ରାୟ ନିଶ୍ଚିତ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି।

