Sat. May 2nd, 2026

ନ୍ୟୁଜ ଡେକ୍ସ : ମହଙ୍ଗା ଏଲୋପାଥି ଚିକିତ୍ସାର ବିକଳ୍ପ ଭାବେ ପଶୁ ଚିକିତ୍ସା କ୍ଷେତ୍ରରେ ଶସ୍ତା ଓ ପାର୍ଶ୍ୱ ପ୍ରତିକ୍ରିୟାହୀନ ହୋମିଓପାଥି ପ୍ରଣାଳୀକୁ ପ୍ରଚଳିତ କରିବା ପାଇଁ ନୂଆ ପ୍ରୟାସ ଆରମ୍ଭ ହୋଇଛି। ଓୟୁଏଟି ଏବଂ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ (ସିସିଆରଏଚ)ର ମିଳିତ ଉଦ୍ୟମରେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଗବେଷଣା ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ଏହି ପ୍ରକଳ୍ପମାନଙ୍କ ଅଧୀନରେ ପ୍ରଥମେ କୁକୁଡ଼ା, ପରେ ଗାଈ ଓ କୁକୁରଙ୍କ ଚିକିତ୍ସା ଓ ନିଦାନ ପାଇଁ ହୋମିଓପାଥି ପ୍ରଣାଳୀର କାର୍ଯ୍ୟକ୍ଷମତା ଉପରେ ଗଭୀର ଅନୁସନ୍ଧାନ କରାଯିବ। ଆଗାମୀ ତିନି ବର୍ଷ ଯାଏଁ ଏହି ଗବେଷଣା କାର୍ଯ୍ୟ ନିରନ୍ତର ଚାଲିବ।ପ୍ରଥମ ପ୍ରକଳ୍ପରେ କୁକୁଡ଼ାଙ୍କ ମଧ୍ୟରେ ବ୍ୟାପକ ଭାବେ ପ୍ରସାରିତ ହେଉଥିବା ନ୍ୟୁ କାସଲ୍ ରୋଗର ନିୟନ୍ତ୍ରଣ ପାଇଁ ହୋମିଓପାଥି ଚିକିତ୍ସାର ପ୍ରଭାବୀତାକୁ ଅଧ୍ୟୟନ କରାଯିବ। ଏହି ରୋଗ କୁକୁଡ଼ା ଚାଷରେ ଅର୍ଥନୈତିକ କ୍ଷତିର ପ୍ରମୁଖ କାରଣ ଥିବାରୁ, ଏହାର ନିୟନ୍ତ୍ରଣ ପାଇଁ ସସ୍ତା ଓ ସୁରକ୍ଷିତ ବିକଳ୍ପ ଉପାୟ ଉନ୍ନୟନ ଉପରେ ଗୁରୁତ୍ୱ ଦିଆଯାଇଛି।ଦ୍ୱିତୀୟ ପ୍ରକଳ୍ପରେ ଗାଈଙ୍କର ବନ୍ଧ୍ୟାଦୋଷ ଦୂର କରିବାରେ ହୋମିଓପାଥିର ଭୂମିକାକୁ ଅନୁଧ୍ୟାନ କରାଯିବ। ଏହି କାମ ପାଇଁ ଆନିମଲ୍ ରିପ୍ରଡକ୍ସନ, ଗାଏନାକଲୋଜି ଆଣ୍ଡ ଅବଷ୍ଟେରିକ୍ସ ବିଭାଗର ବୈଜ୍ଞାନିକମାନେ ଗବେଷଣାରେ ଲାଗିବେ।

ତୃତୀୟ ପ୍ରକଳ୍ପରେ କୁକୁରଙ୍କ ମାମାଲ ଗ୍ଲାଣ୍ଡରେ ହେଉଥିବା ମାମାରୀ ଟ୍ୟୁମର ଉପରେ ଗବେଷଣା କରାଯିବ। ଏହି ଅଧ୍ୟୟନ ଆଧାରରେ କୁକୁରଙ୍କ କ୍ୟାନ୍ସର ଚିକିତ୍ସାରେ ନୂତନ ସମାଧାନ ମିଳିବା ସହିତ ଏଲୋପାଥି ଔଷଧ, ଆଣ୍ଟିବାୟୋଟିକ ଓ ହର୍ମୋନ ବ୍ୟବହାରକୁ କମାଇବା ଉଦ୍ଦେଶ୍ୟ ରହିଛି।ଏହି ସମସ୍ତ ପ୍ରକଳ୍ପ ପଶୁ ଚିକିତ୍ସା କ୍ଷେତ୍ରରେ ନୂତନ ପଦ୍ଧତି ଉଦ୍ଭାବନ କରିବା ସହ ଚାଷୀ ଓ ପଶୁପାଳକମାନଙ୍କୁ ଆର୍ଥିକ ଓ ବ୍ୟବହାରିକ ଲାଭ ଯୋଗାଇବାକୁ ଲକ୍ଷ୍ୟ ରଖିଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ଯେ, ହୋମିଓପାଥି ଔଷଧ ଶସ୍ତା ଓ ସହଜରେ ଉପଲବ୍ଧ ଥିବା ସହ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ, ଏହାକୁ ଚାଷୀମାନେ ସ୍ୱୟଂ ମଧ୍ୟ ବ୍ୟବହାର କରିପାରିବେ। ଏହା ପଶୁପାଳନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *