ନ୍ୟୁଜ ଡେକ୍ସ : ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ନୂତନ କୂଟନୈତିକ ପରିସ୍ଥିତି ଦେଖାଦେଇଛି। ଇରାନ ଏବେ ଯୁଦ୍ଧର ସ୍ଥାୟୀ ସମାଧାନ ପାଇଁ ୩୦ ଦିନିଆ ସମୟସୀମା ନିର୍ଦ୍ଧାରଣରେ ଜୋର ଦେଇଛି। ଆମେରିକା ପକ୍ଷରୁ ଦୁଇ ମାସର ଅସ୍ତ୍ରବିରତି ପ୍ରସ୍ତାବ ଆସିଥିଲେ ମଧ୍ୟ ଇରାନ ଏହାକୁ ପ୍ରତ୍ୟାଖ୍ୟାନ କରିଛି।ସୂଚନା ଅନୁସାରେ, ପାକିସ୍ତାନ ମାଧ୍ୟମରେ ଇରାନ ଏକ ୧୪ ଦଫା ପ୍ରସ୍ତାବ ଆମେରିକାକୁ ପଠାଇଛି।
ଏହି ପ୍ରସ୍ତାବରେ ନୌସେନା କଟକଣା ହଟାଇବା, ସାମରିକ ବାହିନୀ ପ୍ରତ୍ୟାହାର ଏବଂ ଜବତ ହୋଇଥିବା ଇରାନୀ ସମ୍ପତ୍ତିକୁ ମୁକ୍ତ କରିବା ଭଳି ମୁଖ୍ୟ ସର୍ତ୍ତ ରହିଛି। ସେଥିସହ ଇରାନ ସାମୁଦ୍ରିକ ବାଣିଜ୍ୟ ଓ ତୈଳ ଯୋଗାଣକୁ ପରମାଣୁ ଆଲୋଚନାରୁ ଅଲଗା ରଖିବାକୁ ଚାହୁଁଛି।ଇରାନ କହିଛି ଯେ ପରମାଣୁ କାର୍ଯ୍ୟକଳାପ ଉପରେ କୌଣସି ଚୁକ୍ତି ପୂର୍ବରୁ ତାଙ୍କର ଅର୍ଥନୈତିକ ପରିସ୍ଥିତି ସାମାନ୍ୟ ହେବା ଆବଶ୍ୟକ। ସେ ଶାନ୍ତିପୂର୍ଣ୍ଣ ପରମାଣୁ ଶକ୍ତି ଉପରେ ନିଜର ଅଧିକାରକୁ ଦୋହରାଇବା ସହ ୟୁରାନିୟମ୍ ସମୃଦ୍ଧକରଣ ଉପରେ ସୀମା ଓ ତଦାରଖ ବ୍ୟବସ୍ଥା ନେଇ ଆଲୋଚନା ପାଇଁ ସହମତି ଜଣାଇଛି। ଏପରି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପ୍ରସ୍ତାବକୁ ସମୀକ୍ଷା କରୁଥିବା କହିଥିବାବେଳେ ଏଥିପ୍ରତି ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଇରାନ ଏପର୍ଯ୍ୟନ୍ତ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ସ୍ପଷ୍ଟ ପ୍ରତିଶ୍ରୁତି ଦେଇନାହିଁ, ଯାହାରୁ ଏହି ପ୍ରସ୍ତାବ ଗ୍ରହଣଯୋଗ୍ୟ ହେବ କି ନାହିଁ ସନ୍ଦେହ ରହିଛି।
ଏହି ସମୟରେ ଇସ୍ରାଏଲ୍ ଆମେରିକା ସହ ଏକ ବଡ଼ ଯୁଦ୍ଧବିମାନ ଚୁକ୍ତି କରିଛି। ହର୍ମୁଜ ପ୍ରଣାଳୀ ଉପରେ ଇରାନ ନିଜର କଠୋର ମନୋଭାବ ଜାରି ରଖିଛି ଏବଂ କହିଛି ଯେ ଆମେରିକା ଓ ଇସ୍ରାଏଲ୍ ସହିତ ସମ୍ପୃକ୍ତ ନଥିବା ଜାହାଜଗୁଡ଼ିକୁ ମଧ୍ୟ ଟିକସ ଦେବା ପରେ ମାତ୍ର ଯାତାୟାତ କରିବାକୁ ଅନୁମତି ମିଳିବ।ସମଗ୍ର ପରିସ୍ଥିତି ଦେଖି ମଧ୍ୟ ପୂର୍ବରେ ତଣାପୋଡ଼ ଆହୁରି ବଢ଼ିବା ସହ ବିଶ୍ୱ ରାଜନୀତି ଉପରେ ଏହାର ଗଭୀର ପ୍ରଭାବ ପଡ଼ିପାରେ ବୋଲି ଆନ୍ତର୍ଜାତିକ ମହଳରେ ମତ ପ୍ରକାଶ ପାଉଛି।

