ନ୍ୟୁଜ ଡେକ୍ସ : ଆଜିଠୁ ତିନି ଦିନିଆ ଗୁଜରାଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଗସ୍ତ ସମୟରେ ସେ ଗୁଜରାଟର ଚାରିଟି ସହର ଭ୍ରମଣ କରି ଉଦ୍ୟୋଗପତି ଓ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିବେ।ଆଜି ଅହମ୍ମଦାବାଦରେ ବଡ଼ ପରିସରର ନିବେଶକ ରୋଡ୍ ଶୋ ଆୟୋଜିତ ହେବ।
ଏହା ସହ ଅଗ୍ରଣୀ ଉଦ୍ୟୋଗପତିମାନଙ୍କ ସହ ରାଉଣ୍ଡଟେବୁଲ ବୈଠକ ଓ ଓନ୍-ଟୁ-ଓନ୍ ମିଟିଂ ହେବାକୁ ଥିବାବେଳେ ଓଡ଼ିଶାରେ ନିବେଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ଓ ଇଣ୍ଟେଣ୍ଟ ଲେଟର ଆସିବାର ସମ୍ଭାବନା ରହିଛି।ଏହି ଗସ୍ତରେ ବୟନ ଓ ପୋଷାକ, ରାସାୟନିକ ଓ ପେଟ୍ରୋକେମିକାଲ୍ସ, ମେଟାଲ୍ସ ଓ ଡାଉନଷ୍ଟ୍ରିମ୍ ଶିଳ୍ପ, ଔଷଧ ଓ ମେଡିକାଲ ଉପକରଣ ପରି ଉଚ୍ଚ ସମ୍ଭାବନାମୟ କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯିବ।ଆସନ୍ତା ୬ ତାରିଖରେ ପ୍ରତିନିଧି ଦଳ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବେ, ଯାହା ଓଡ଼ିଶାର ପୋର୍ଟ-ଲେଡ୍ ବିକାଶ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ।
ମେ ୭ ତାରିଖରେ ଭଦୋଦରାରେ ନିବେଶକମାନଙ୍କ ସହ ବୈଠକ ହେବା ସହ କେଭାଡିଆରେ ମଧ୍ୟ ଗସ୍ତ କରାଯିବ। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସହ ବରିଷ୍ଠ ସରକାରୀ ଅଧିକାରୀମାନେ ସାମିଲ ହେବେ। ଓଡ଼ିଶାରେ ନିବେଶ ଆକର୍ଷଣ ଓ ବ୍ୟାପକ ନିଯୁକ୍ତି ସୃଷ୍ଟି ପାଇଁ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

