ନ୍ୟୁଜ ଡେକ୍ସ : ଖରାଦିନ ଆସିଲେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । ପ୍ରଚଣ୍ଡ ଗରମ ଏବଂ ତାପମାତ୍ରା ବୃଦ୍ଧି ହେତୁ ଶରୀରକୁ ସୁସ୍ଥ ଓ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ ପାନୀୟର ସେବନ କରିଥାନ୍ତି । ଅନେକେ ଥଣ୍ଡା ପାଣି, କୋଲ୍ଡ ଡ୍ରିଙ୍କ୍ସ କିମ୍ବା ଆଇସକ୍ରିମ୍ ଖାଇଥାନ୍ତି । କିନ୍ତୁ ଏହା ଶରୀରକୁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରଖିପାରେ ନାହିଁ ।
ବରଂ ଦହି, ନଡିଆ ପାଣି, ଫଳରସ ଓ ବଟରମିଲ୍କ ଭଳି ପ୍ରାକୃତିକ ପାନୀୟ ଶରୀର ପାଇଁ ଅଧିକ ଉପକାରୀ ହୋଇଥାଏ ।ବିଶେଷ କରି ଗ୍ରୀଷ୍ମ ଋତୁରେ ବଟରମିଲ୍କ ପିଇବା ଶରୀରକୁ ସତେଜ ରଖିବା ସହ ପେଟକୁ ଥଣ୍ଡା ରଖିଥାଏ । ଏଥିରେ ଭିଟାମିନ୍ ଏ, ବି, ସି ଓ ଇ ଭଳି ପୋଷକତତ୍ତ୍ୱ ଥିବାରୁ ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହା ସହିତ ହାଇ ବ୍ଲଡପ୍ରେସର ଓ କୋଲେଷ୍ଟ୍ରୋଲ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇଥାଏ ।ଗ୍ରୀଷ୍ମ ଦିନରେ ଶରୀରରେ ଜଳୀୟ ଅଂଶ କମିଯିବା ସାଧାରଣ କଥା । ବଟରମିଲ୍କ ପିଇବା ଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ ଏବଂ ଶରୀରରେ ଆବଶ୍ୟକ ଜଳୀୟ ସନ୍ତୁଳନ ରକ୍ଷା ପାଏ । ଏହା ପ୍ରାକୃତିକ ଭାବେ ଶରୀରକୁ ଶୀତଳତା ପ୍ରଦାନ କରିଥାଏ ଓ ଗରମରୁ ଆରାମ ଦେଇଥାଏ ।
ଏଥିରେ ପ୍ରୋବାୟୋଟିକ ଗୁଣ ଥିବାରୁ ହଜମ ପ୍ରକ୍ରିୟା ସୁଧାରିବାରେ ଏହା ଉପକାରୀ ହୋଇଥାଏ । କୋଷ୍ଠକାଠିନ୍ୟ, ପେଟ ଫୁଲିବା ଓ ଏସିଡିଟି ଭଳି ସମସ୍ୟାକୁ ଦୂର କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଏଥିସହ କ୍ୟାଲସିୟମ ଓ ଭିଟାମିନ୍ ବି ଭରପୁର ଥିବାରୁ ହାଡ଼କୁ ମଜବୁତ କରିବାରେ ମଧ୍ୟ ବଟରମିଲ୍କ ଗୁରୁତ୍ୱପୂର୍ଣ୍ଣ ।ଅନ୍ୟପଟେ ବଟରମିଲ୍କରେ କ୍ୟାଲୋରୀ କମ ଥିବାରୁ ଏହା ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ଥିବା ପ୍ରୋଟିନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟକୁ ଭରା ରଖିଥାଏ । ତେଣୁ ଖରାଦିନରେ ସୁସ୍ଥ ରହିବା ପାଇଁ ବଟରମିଲ୍କକୁ ଦୈନିକ ଖାଦ୍ୟତାଲିକାରେ ସାମିଲ କରିବା ଉପକାରୀ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

