ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗର ରାଜନୀତିରେ ବଡ଼ ପରିବର୍ତ୍ତନ ଘଟିଛି । ରାଜ୍ୟପାଳ ଆର.ଏନ. ରବି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପରିଷଦକୁ ବରଖାସ୍ତ କରିଥିବା ସହ ବିଧାନସଭାକୁ ଭଙ୍ଗ କରିଛନ୍ତି । ଭାରତୀୟ ସମ୍ବିଧାନର ଧାରା ୧୭୪(୨)(ଖ) ଅନୁଯାୟୀ ଜାରି ହୋଇଥିବା ଏହି ଆଦେଶ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହା ସହିତ ମମତା ବାନାର୍ଜୀଙ୍କ ମୁଖ୍ୟମନ୍ତ୍ରୀ ପଦର କାର୍ଯ୍ୟକାଳ ଶେଷ ହୋଇଛି ।
ସୂଚନା ଅନୁଯାୟୀ, ନିର୍ବାଚନରେ ପରାଜୟ ପରେ ମଧ୍ୟ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଥିଲେ । ସେ ପ୍ରାୟ ୧୦୦ଟି ଆସନରେ ଭୋଟ ଚୋରି ଅଭିଯୋଗ କରି କହିଥିଲେ ଯେ, ତାଙ୍କୁ ବଳପୂର୍ବକ ପରାସ୍ତ କରାଯାଇଛି । ଏହାପରେ ରାଜ୍ୟପାଳ ଏହି କଡ଼ା ପଦକ୍ଷେପ ନେଇଥିବା କୁହାଯାଉଛି ।ଚଳିତ ବିଧାନସଭା ନିର୍ବାଚନରେ ୨୯୩ଟି ଆସନ ମଧ୍ୟରୁ ବିଜେପି ୨୦୭ଟି ଆସନ ଜିତି ବହୁମତ ହାସଲ କରିଛି । ଏହା ସହ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବାକୁ ଯାଉଛି । ଅନ୍ୟପଟେ ମମତା ବାନାର୍ଜୀଙ୍କ ଦଳ ୧୫ ବର୍ଷ ପରେ କ୍ଷମତାରୁ ବାହାରିଛି ।
ପଶ୍ଚିମବଙ୍ଗର ପ୍ରଥମ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୯ ତାରିଖରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଏହା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୪ ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସହ ବିଜେପିର ଅନେକ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି ।

