ନ୍ୟୁଜ ଡେକ୍ସ : ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ଆକାଶରେ ଏକ ଅଜବ ଓ ରହସ୍ୟମୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଏକ ଉଡ଼ନ୍ତା ବସ୍ତୁ ରକେଟ୍ ଭଳି ଦ୍ରୁତ ଗତିରେ ପୂର୍ବ ଦିଗକୁ ଅଗ୍ରସର ହେଉଥିବା ଦେଖାଯାଇଥିଲା । ଧଳା ଧୂଆଁ ଛାଡ଼ି ପ୍ରଖର ଗତିରେ ଯାଉଥିବା ଏହି ବସ୍ତୁକୁ ଦେଖି ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଥିଲା ।ଜନପଥ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଗାଡ଼ିର ବେଗ କମାଇ ଆକାଶକୁ ଚାହିଁ ରହିଥିଲେ ।
କେତେକ ଲୋକ ରାସ୍ତା କଡ଼ରେ ଗାଡ଼ି ରଖି ମୋବାଇଲରେ ଏହି ଦୃଶ୍ୟକୁ ରେକର୍ଡ କରିଥିଲେ । ପ୍ରଥମେ କିଛି ଲୋକ ଏହାକୁ ବିମାନ ବୋଲି ଭାବିଥିଲେ । କିନ୍ତୁ ଏହାର ଗତି, ଅତ୍ୟଧିକ ଉଜ୍ଜ୍ୱଳ ଆଲୋକ ଓ ଅଗ୍ନିର ଚମକ ସାଧାରଣ ବିମାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଦେଖଣାହାରୀଙ୍କ କହିବା ଅନୁଯାୟୀ, ଉଡ଼ନ୍ତା ବସ୍ତୁଟିର ଚତୁର୍ପାର୍ଶ୍ୱରେ ଏକ ବଳୟ ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା । ପ୍ରାୟ ୨୦ ସେକେଣ୍ଡ ପରେ ଏହାର ଆଲୋକ ରେଖା ଦିଗବଳୟ ମଧ୍ୟରେ ହଜି ଯାଇଥିଲା । ପୂର୍ବରୁ ଲୋକମାନେ ଆକାଶରୁ ଧୂମକେତୁ ଖସିବା ଦୃଶ୍ୟ ଦେଖିଥିଲେ ମଧ୍ୟ ଏହା ସେଥିଠାରୁ ଭିନ୍ନ ଥିଲା । ଏହା ତଳକୁ ଖସିବା ପରିବର୍ତ୍ତେ ସମାନ୍ତରାଳ ଭାବେ ଆଗକୁ ବଢ଼ୁଥିଲା ।ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଥିବା ସମାଜସେବୀ ସୁଜିତ୍ କୁମାର ରାଉତ କହିଛନ୍ତି ଯେ କିଛି ଲୋକ ଏହାକୁ ୟୁଏଫଓ ବୋଲି ମଧ୍ୟ ଚର୍ଚ୍ଚା କରୁଛନ୍ତି ।
ଅନ୍ୟପକ୍ଷରେ ମହାକାଶ ବିଜ୍ଞାନ ବିଶେଷଜ୍ଞମାନେ କହିଛନ୍ତି ଯେ ଏହାର ଗତି ଓ ଆକାର ଭିନ୍ନ ଥିଲେ ମଧ୍ୟ ଏହା ଏକ ଧୂମକେତୁ ହୋଇପାରେ ।ତେବେ କିଛି ମହଳରେ ଏହା ଧାମରା ନିକଟ କଲାମ କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା କରାଯାଇଥିବା ଅଗ୍ନି-୫ କ୍ଷେପଣାସ୍ତ୍ର ହୋଇପାରେ ବୋଲି ସନ୍ଦେହ କରାଯାଉଛି । ଏନେଇ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ ।

