Fri. Jun 5th, 2026

ନ୍ୟୁଜ ଡେକ୍ସ : ଯାତ୍ରୀମାନଙ୍କ ଯାତ୍ରାକୁ ଅଧିକ ସହଜ, ସ୍ମାର୍ଟ ଓ ହାଇଟେକ୍ କରିବା ଦିଗରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌ (ଡିଏମଆରସି) ବଡ଼ ପଦକ୍ଷେପ ନେଇଛି। ଡିଏମଆରସି ଏୟାରଟେଲ ପେମେଣ୍ଟସ୍ ବ୍ୟାଙ୍କ ସହ ମିଳିତ ଭାବେ ସହ-ବ୍ରାଣ୍ଡେଡ୍ RuPay ‘On-The-Go’ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (NCMC) ଲଞ୍ଚ କରିଛି। ଏହି କାର୍ଡ ଦେଶର ବିଭିନ୍ନ ସହରର ମେଟ୍ରୋ ଓ ବସ୍‌ ନେଟୱାର୍କରେ ବ୍ୟବହାରଯୋଗ୍ୟ ହେବ।

ରବିବାର ଦିଲ୍ଲୀ ମେଟ୍ରୋ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି କାର୍ଡର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଡିଏମଆରସି ପରିଚାଳନା ନିର୍ଦ୍ଦେଶକ ଡକ୍ଟର ବିକାଶ କୁମାର ଏବଂ ଏୟାରଟେଲ ପେମେଣ୍ଟସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅନୁବ୍ରତ ବିଶ୍ୱାସଙ୍କ ସହ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଡିଏମଆରସି ସୂଚନା ଅନୁଯାୟୀ, ଆଗାମୀ ଦଶ ଦିନ ମଧ୍ୟରେ ସମସ୍ତ ମେଟ୍ରୋ ଷ୍ଟେସନରେ ଏହି କାର୍ଡ ଉପଲବ୍ଧ ହେବ। ଯାତ୍ରୀମାନେ ଡିଏମଆରସି କିମ୍ବା ଏୟାରଟେଲ ଆପ୍‌ ମାଧ୍ୟମରେ ଏହାକୁ ଡିଜିଟାଲ ଭାବେ ରିଚାର୍ଜ କରିପାରିବେ। ଫଳରେ ଷ୍ଟେସନରେ ରିଚାର୍ଜ ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାର ଅସୁବିଧା କମିବ।ଡିଏମଆରସି କହିଛି ଯେ, ଏହି ପଦକ୍ଷେପ କେନ୍ଦ୍ର ସରକାରଙ୍କ ‘ଏକ ରାଷ୍ଟ୍ର, ଏକ କାର୍ଡ’ ଯୋଜନା ଉପରେ ଆଧାରିତ।

ବର୍ତ୍ତମାନର ଦିଲ୍ଲୀ ମେଟ୍ରୋ କାର୍ଡ କେବଳ ମେଟ୍ରୋ ନେଟୱାର୍କରେ ସୀମିତ ଥିବାବେଳେ, ନୂଆ NCMC କାର୍ଡ ଦେଶର ବିଭିନ୍ନ ସହର ଓ ପରିବହନ ବ୍ୟବସ୍ଥାରେ ବ୍ୟବହାର ହୋଇପାରିବ। ତେବେ ପୁରୁଣା କାର୍ଡଗୁଡ଼ିକ ପୂର୍ବଭଳି କାମ କରିବ।ଏହି କାର୍ଡ ଡେବିଟ୍ କାର୍ଡ ଏବଂ ପ୍ରିପେଡ୍ ପେମେଣ୍ଟ ଇନ୍‌ଷ୍ଟ୍ରୁମେଣ୍ଟ୍‌ (PPI) ଦୁଇଟି କ୍ୟାଟାଗୋରୀରେ ଉପଲବ୍ଧ ହେବ। ଏହାର ସବୁଠୁ ବଡ଼ ବୈଶିଷ୍ଟ୍ୟ ହେଉଛି ଓପନ୍-ଲୁପ୍ ସିଷ୍ଟମ୍‌, ଯାହା ଏହାକୁ କେବଳ ମେଟ୍ରୋ ଯାତ୍ରାରେ ସୀମିତ ରଖୁନାହିଁ।ଦିଲ୍ଲୀ ମେଟ୍ରୋ ବ୍ୟତୀତ, ଯେଉଁ ସହରରେ NCMC ସେବା ଉପଲବ୍ଧ ରହିଛି ସେଠାରେ ମଧ୍ୟ ଏହି କାର୍ଡ ବ୍ୟବହାର କରାଯାଇପାରିବ। ସେହିପରି ଏହା ରିଟେଲ ସପିଂ ଓ ଅନ୍ୟାନ୍ୟ ଡିଜିଟାଲ ପେମେଣ୍ଟ ପାଇଁ ମଧ୍ୟ ଉପଯୋଗୀ ହେବ।

Leave a Reply

Your email address will not be published. Required fields are marked *