ନ୍ୟୁଜ ଡେକ୍ସ : ଆଜିଠାରୁ ଦୁଇଦିନ ଧରି ପଶ୍ଚିମବଙ୍ଗ ବିଧାନସଭାର ଅଧିବେଶନ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଭାବେ ଗତ ୯ ତାରିଖରେ ଶପଥ ନେଇଥିବା ଶୁଭେନ୍ଦୁ ଅଧିକାରୀ ବର୍ତ୍ତମାନ ବିଧାୟକ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।
ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଏବଂ କୁଚବିହାର, ଆଲିପୁରଦ୍ୱାର, ଜଳପାଇଗୁଡି, କାଲିମପଙ୍ଗ, ଦାର୍ଜିଲିଂ, ଉତ୍ତର ଓ ଦକ୍ଷିଣ ଦିନାଜପୁର, ମାଲଦା, ମୁର୍ଶିଦାବାଦ, ନଦିଆ ଓ ଉତ୍ତର-ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ବିଧାୟକମାନେ ଶପଥ ନେବେ।
ସେହିପରି ଅଧିବେଶନର ଦ୍ୱିତୀୟ ଦିନରେ କଲକାତା, ହାୱଡା, ହୁଗୁଳି, ପୂର୍ବ ଓ ପଶ୍ଚିମ ମେଦିନୀପୁର, ଝାଡଗ୍ରାମ, ପୂର୍ବ ଓ ପଶ୍ଚିମ ବର୍ଦ୍ଧମାନ, ପୁରୁଲିଆ ଓ ବୀରଭୂମ ଜିଲ୍ଲାର ସମସ୍ତ ବିଧାୟକ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାର ଏହି ଅଧିବେଶନକୁ ନେଇ ରାଜ୍ୟର ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।

