ନ୍ୟୁଜ ଡେକ୍ସ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇପାରେ। ମଧ୍ୟାହ୍ନ ୧୨ଟା ସମୟରେ ଫଳ ପ୍ରକାଶ ହେବା ନେଇ ସୂଚନା ମିଳୁଥିବା ବେଳେ ଲକ୍ଷାଧିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।ପରୀକ୍ଷାର୍ଥୀମାନେ cbse.gov.in, cbseresults.nic.in ଓ results.cbse.nic.in ୱେବସାଇଟ୍ ମାଧ୍ୟମରେ ନିଜର ପରୀକ୍ଷାଫଳ ଜାଣିପାରିବେ।
ଏଥିସହ ଡିଜିଲକର, ଉମଙ୍ଗ ଆପ୍, ଆଇଭିଆରଏସ୍ ଓ SMS ସୁବିଧା ମାଧ୍ୟମରେ ମଧ୍ୟ ଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ନିଜର ରୋଲ୍ ନମ୍ବର ଓ ଅନ୍ୟ ଆବଶ୍ୟକ ସୂଚନା ଦେଇ ଫଳାଫଳ ଦେଖିପାରିବେ।ଗତମାସରେ CBSE ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଏବେ ଦ୍ବାଦଶ ପରୀକ୍ଷାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ସେପଟେ CBSE ବୋର୍ଡ ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପାଇଁ ୨ୟ ବୋର୍ଡ ପରୀକ୍ଷା ବ୍ୟବସ୍ଥା କରିଥିବାରୁ ଏହାକୁ ନେଇ ମଧ୍ୟ ଆଗ୍ରହ ବଢ଼ିଛି। CBSE ଘୋଷିତ ସମୟସୂଚୀ ଅନୁଯାୟୀ ମେ ୧୫ରୁ ୨୧ ତାରିଖ ଯାଏ ୨ୟ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତିଦିନ ସକାଳ ୧୦ଟା ୩୦ରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି।
ଅଳ୍ପ ମାର୍କ ରଖିଥିବା ବିଷୟରେ ଛାତ୍ରଛାତ୍ରୀମାନେ ପୁଣିଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ।ବୋର୍ଡର ନୂଆ ନିୟମ ଅନୁଯାୟୀ, ଛାତ୍ରଛାତ୍ରୀମାନେ ସର୍ବାଧିକ ୩ଟି ବିଷୟରେ ପୁନଃ ପରୀକ୍ଷା ଦେଇପାରିବେ। ସେଥିରେ ଗୋଟିଏ ଭାଷା ବିଷୟ ଓ ଅନ୍ୟ ଦୁଇଟି ବିଷୟ ଅନ୍ତର୍ଭୁକ୍ତ ରହିବ। ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଚାପ କମାଇବା ସହ ସେମାନଙ୍କୁ ନିଜ ଫଳାଫଳ ସୁଧାରିବାର ଅଧିକ ସୁଯୋଗ ଦେବ ବୋଲି କୁହାଯାଉଛି।CBSEର ଏହି ନୂଆ ପଦକ୍ଷେପକୁ ଅଭିଭାବକ, ଶିକ୍ଷକ ଓ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଶିକ୍ଷାବିଦମାନଙ୍କ ମତରେ, ଏହା ଛାତ୍ରଛାତ୍ରୀଙ୍କୁ ଅଧିକ ଆତ୍ମବିଶ୍ୱାସ ଦେବା ସହ ପରୀକ୍ଷାକୁ ନେଇ ଥିବା ଭୟକୁ ମଧ୍ୟ କମାଇବ।

