ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଏବେ ଡ୍ରଗ୍ସ ମାଫିଆଙ୍କ ନୂଆ ଟ୍ରାଞ୍ଜିଟ୍ ରୁଟ୍ ପାଲଟିଥିବା ଚର୍ଚ୍ଚା ଜୋର ଧରିଛି। ବିମାନବନ୍ଦରରେ ପୁଣିଥରେ ଏକ ବଡ଼ ଧରଣର ନିଶାଦ୍ରବ୍ୟ ଚୋରାଚାଲାଣର ପର୍ଦ୍ଦାଫାଶ ହୋଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ ପକ୍ଷରୁ କରାଯାଇଥିବା ଚଢ଼ାଉରେ ପ୍ରାୟ ସାଢ଼େ ୩ କୋଟି ଟଙ୍କା ମୂଲ୍ୟର ବିଦେଶୀ ମାରିଜୁଆନା ଜବତ କରାଯାଇଛି। ଏହି ଘଟଣାରେ ୨ ଜଣ ଯାତ୍ରୀଙ୍କୁ ଅଟକ ରଖି ତଦନ୍ତ ଚାଲିଛି।
ସୂଚନା ଅନୁଯାୟୀ, ଏକ ଇଣ୍ଡିଗୋ ବିମାନ ଯୋଗେ ଦୁଇ ଜଣ ଯାତ୍ରୀ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଥିଲେ। ସେମାନେ ନିଜ ସହ ଆଣିଥିବା ଟ୍ରଲି ବ୍ୟାଗ୍ ଭିତରେ ଅତ୍ୟନ୍ତ ଚତୁରତାର ସହ ନିଶାଦ୍ରବ୍ୟ ଲୁଚାଇ ରଖିଥିଲେ। ତେବେ ଡିଆରଆଇ ଅଧିକାରୀଙ୍କ ପାଖରେ ପୂର୍ବରୁ ଏହା ସମ୍ପର୍କରେ ଗୁପ୍ତ ସୂଚନା ଥିବାରୁ ସେମାନେ ବିମାନବନ୍ଦରରେ ଛକି ରହିଥିଲେ। ଯାତ୍ରୀମାନେ ପହଞ୍ଚିବା ମାତ୍ରେ ଟିମ୍ ସେମାନଙ୍କୁ କାବୁ କରିଥିଲା। ପରେ ଟ୍ରଲି ବ୍ୟାଗ୍ର ଯାଞ୍ଚ କରାଯିବା ବେଳେ ସେଥିରୁ ୧୧ କିଲୋଗ୍ରାମ ଓଜନର ହାଇଡ୍ରୋପୋନିକ୍ ୱିଡ୍ ବା ଉନ୍ନତମାନର ମାରିଜୁଆନା ବାହାରିଥିଲା। ଏହି ପ୍ରକାର ନିଶାଦ୍ରବ୍ୟର ଆନ୍ତର୍ଜାତୀୟ ବଜାରରେ ଚାହିଦା ବହୁତ ଅଧିକ ଥିବା ବେଳେ ଏହାର ମୂଲ୍ୟ କିଲୋ ପିଛା ପ୍ରାୟ ୩୫ ଲକ୍ଷ ଟଙ୍କା ରହିଥାଏ। ସେହି ହିସାବରେ ଜବତ ହୋଇଥିବା ୧୧ କେଜି ମାରିଜୁଆନାର ମୋଟ୍ ମୂଲ୍ୟ ପ୍ରାୟ ୩ କୋଟି ୮୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।ଅଟକ ରଖାଯାଇଥିବା ଦୁଇ ଯାତ୍ରୀଙ୍କୁ ଏବେ ଡିଆରଆଇ ପକ୍ଷରୁ ଘନଘନ ପଚରାଉଚରା କରାଯାଉଛି। ସେମାନେ କେବଳ ଚୋରାଚାଲାଣ ଚକ୍ରର ମୋହରା ନା ଏହା ପଛରେ ଥିବା ବଡ଼ ରାକେଟ୍ର ମୁଖ୍ୟ ଲିଙ୍କ୍, ତାହା ଖୋଜାଯାଉଛି।
ଏହି ଡ୍ରଗ୍ସ ଭୁବନେଶ୍ୱରରୁ କେଉଁଠିକୁ ପଠାଯାଇଥାନ୍ତା ଓ କାହା ପାଇଁ ଆଣାଯାଉଥିଲା, ସେନେଇ ମଧ୍ୟ ତଦନ୍ତ ଚାଲିଛି।ତେବେ ବ୍ୟାଙ୍କକରୁ ଭୁବନେଶ୍ୱରକୁ ନିଶାଦ୍ରବ୍ୟ ଚୋରାଚାଲାଣ ଘଟଣା ଏହା ପ୍ରଥମ ନୁହେଁ। ଗତ ଜୁଲାଇ ମାସରେ ମଧ୍ୟ ଡିଆରଆଇ ଏଠାରେ ବଡ଼ ଚଢ଼ାଉ କରି ୨୫ କେଜି ମାରିଜୁଆନା ଜବତ କରିଥିଲା। ସେହି ଘଟଣାରେ ୩ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା। ବାରମ୍ବାର ବ୍ୟାଙ୍କକରୁ ଭୁବନେଶ୍ୱରକୁ ଡ୍ରଗ୍ସ ଆସୁଥିବାରୁ ଏହା ପଛରେ ଏକ ବଡ଼ ଆନ୍ତର୍ଜାତୀୟ ରାକେଟ୍ କାମ କରୁଥିବା ସନ୍ଦେହ ଆହୁରି ଜୋରଦାର ହୋଇଛି। ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ବିମାନବନ୍ଦର ଯାଞ୍ଚ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଡିଆରଆଇ ପକ୍ଷରୁ ସମଗ୍ର ଘଟଣାର ଖୋଳତାଡ଼ ଜାରି ରହିଛି।

