ନ୍ୟୁଜ ଡେକ୍ସ : ସ୍ମିଥସୋନିଆନ୍ ନ୍ୟାସନାଲ ଏୟାର ଆଣ୍ଡ ସ୍ପେସ୍ ମ୍ୟୁଜିୟମ୍ ଏବେ ଭାରତର ମହାକାଶ ସଫଳତାର ଏକ ଅନନ୍ୟ ସ୍ମୃତିକୁ ସ୍ଥାନ ଦେଇଛି। ବିଶ୍ୱପ୍ରସିଦ୍ଧ ଏହି ସଂଗ୍ରହାଳୟରେ ଭାରତୀୟ ବୈଜ୍ଞାନିକ ନନ୍ଦିନୀ ହରିନାଥଙ୍କ ଶାଢ଼ୀ ପ୍ରଦର୍ଶିତ ହୋଇଛି। ଏହି ଶାଢ଼ୀ ସେ ଭାରତର ଐତିହାସିକ ମଙ୍ଗଳୟାନ ମିଶନ ସମୟରେ ପିନ୍ଧିଥିଲେ।ଭାରତୀୟ ମହାକାଶ ଗବେଷଣା ସଂଗଠନ ISROର ବରିଷ୍ଠ ବୈଜ୍ଞାନିକ ନନ୍ଦିନୀ ହରିନାଥଙ୍କୁ ଭାରତର ‘ରକେଟ୍ ମହିଳା’ ଭାବେ ଜଣାଯାଏ।
ସେ ଭାରତର ପ୍ରଥମ ଆନ୍ତଃଗ୍ରହୀୟ ମିଶନ ମଙ୍ଗଳୟାନ ମିଶନରେ ଡେପୁଟି ଅପରେସନ୍ସ ନିର୍ଦ୍ଦେଶକ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଶାଢ଼ୀ କେବଳ ଏକ ପୋଷାକ ନୁହେଁ, ବରଂ ଭାରତର ବୈଜ୍ଞାନିକ ସଫଳତା ଓ ମହିଳାଙ୍କ ଅବଦାନର ଏକ ପ୍ରତୀକ। ମଙ୍ଗଳୟାନ ମିଶନ ସମୟରେ ISROର ମହାକାଶଯାନ ପୃଥିବୀର କକ୍ଷପଥ ଛାଡ଼ି ମଙ୍ଗଳ ଗ୍ରହ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଦିନ ନନ୍ଦିନୀ ଏହି ଶାଢ଼ୀ ପିନ୍ଧିଥିଲେ।ସୋସିଆଲ ମିଡିଆରେ ସଂଗ୍ରହାଳୟ ପକ୍ଷରୁ ଏକ ଭିଡିଓ ଓ ଫଟୋ ସେୟାର କରାଯାଇଛି। ସେଥିରେ ଏକ ପୁତଳିକାକୁ ଲାଲ ଓ ନୀଳ ରଙ୍ଗର ଜଟିଳ ଡିଜାଇନ୍ ଥିବା ଶାଢ଼ୀ ପିନ୍ଧିଥିବା ଦେଖାଯାଇଛି।
ଏହି ପ୍ରଦର୍ଶନୀ ଏବେ ଭାରତୀୟ ବୈଜ୍ଞାନିକ ସଫଳତାକୁ ବିଶ୍ୱ ମଞ୍ଚରେ ଆହୁରି ଗୌରବାନ୍ୱିତ କରିଛି।ନନ୍ଦିନୀ ହରିନାଥଙ୍କ ମାଆ ଜଣେ ଗଣିତ ଶିକ୍ଷକ ଓ ବାପା ଜଣେ ଇଞ୍ଜିନିୟର ଥିଲେ। ପିଲାଦିନରୁ ବିଜ୍ଞାନ ଓ ମହାକାଶ ପ୍ରତି ତାଙ୍କର ଗଭୀର ଆଗ୍ରହ ଥିଲା। ଇଞ୍ଜିନିୟରିଂରେ ଉଚ୍ଚ ଶିକ୍ଷା ସମାପ୍ତ କରି ସେ ISROରେ ଯୋଗ ଦେଇଥିଲେ। ୨୦ ବର୍ଷରୁ ଅଧିକ ସମୟର କ୍ୟାରିୟରରେ ସେ ୧୪ରୁ ଅଧିକ ମହାକାଶ ମିଶନରେ ଅବଦାନ ରଖିଛନ୍ତି।ଏକ ସାକ୍ଷାତକାରରେ ସେ କହିଥିଲେ ଯେ ମଙ୍ଗଳୟାନ ମିଶନ ତାଙ୍କ ପାଇଁ ସ୍ୱତନ୍ତ୍ର ଥିଲା, କାରଣ ସମଗ୍ର ବିଶ୍ୱ ଏହି ମିଶନକୁ ନଜରରେ ରଖିଥିଲା। ମିଶନର ସଫଳତା ପରେ NASA ପକ୍ଷରୁ ମଧ୍ୟ ISROକୁ ଅଭିନନ୍ଦନ ଜଣାଯାଇଥିଲା ଏବଂ ପରେ ଉଭୟ ସଂସ୍ଥା ମଧ୍ୟରେ ସହଯୋଗ ଆହୁରି ବଢ଼ିଥିଲା।

