ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱସ୍ତରରେ ଅସ୍ଥିରତା ବଢ଼ୁଥିବା ବେଳେ ଭାରତରେ ମଧ୍ୟ ଶକ୍ତି ସଂରକ୍ଷଣକୁ ନେଇ ସରକାର ସକ୍ରିୟ ହୋଇଛନ୍ତି। ଏହାରି ଭିତରେ ଆଜି ପୂର୍ବାହ୍ନ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ନରେନ୍ଦ୍ର ମୋଦି କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶକ୍ତି ସଂରକ୍ଷଣ ପାଇଁ ଆହ୍ୱାନ କରିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ନେଇ ସରକାରୀ ସ୍ତରରେ ତତ୍ପରତା ବଢ଼ିଛି। ଏହା ପୂର୍ବରୁ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୌପଚାରିକ କ୍ଷମତାପ୍ରାପ୍ତ ମନ୍ତ୍ରୀ ଗୋଷ୍ଠୀ (IGoM)ର ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକରେ ପଶ୍ଚିମ ଏସିଆ ସଙ୍କଟ ପରିପ୍ରେକ୍ଷୀରେ ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ ରଖିବା ଏବଂ ନିରବଚ୍ଛିନ୍ନ ଶକ୍ତି ପ୍ରବାହ ସୁନିଶ୍ଚିତ କରିବା ଉପରେ ଆଲୋଚନା କରାଯାଇଥିଲା।ରାଜନାଥ ସିଂହ କହିଥିଲେ ଯେ ବିଶ୍ୱ ଅସ୍ଥିରତା ମଧ୍ୟରେ ସରକାର ସାମୁଦ୍ରିକ ସୁରକ୍ଷା ଓ ଆର୍ଥିକ ସ୍ଥିରତାକୁ ପ୍ରାଥମିକତା ଦେଉଛନ୍ତି। ସେ ଅଧିକାରୀମାନଙ୍କୁ ଇନ୍ଧନ ବ୍ୟବହାର କମାଇବା, ଅନାବଶ୍ୟକ ସୁନା କ୍ରୟରୁ ଦୂରେଇ ରହିବା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ଠୋସ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦେଶରେ କୌଣସି ପେଟ୍ରୋଲିୟମ ଉତ୍ପାଦର ଅଭାବ ନାହିଁ। ଭାରତ ପାଖରେ ୬୦ ଦିନର ଅଶୋଧିତ ତେଲ, ୬୦ ଦିନର ପ୍ରାକୃତିକ ଗ୍ୟାସ ଓ ୪୫ ଦିନର ଏଲପିଜି ମହଜୁଦ ରହିଛି।
ଏହାସହ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୭୦୩ ବିଲିୟନ ଡଲାରରେ ପହଞ୍ଚିଥିବା ସୂଚନା ମିଳିଛି।ମନ୍ତ୍ରଣାଳୟ ଆହୁରି କହିଛି ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ବିଶୋଧନକାରୀ ଓ ପେଟ୍ରୋଲିୟମ ଉତ୍ପାଦର ଚତୁର୍ଥ ବୃହତ୍ତମ ରପ୍ତାନିକାରୀ ଦେଶ। ଦେଶ ୧୫୦ରୁ ଅଧିକ ଦେଶକୁ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି କରୁଥିବା ବେଳେ ଘରୋଇ ଚାହିଦା ମଧ୍ୟ ପୂରଣ କରୁଛି। ତଥାପି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଥିବାରୁ ଦେଶକୁ ବଡ଼ ଆର୍ଥିକ ବୋଝ ବହନ କରିବାକୁ ପଡ଼ୁଛି।ସରକାରଙ୍କ ମତରେ ଇନ୍ଧନ ସଂରକ୍ଷଣ ଏହି ବୋଝକୁ କମ କରିପାରିବ। ତେଣୁ ଆଜିର କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗରେ ଆହୁରି ବଡ଼ ନିଷ୍ପତ୍ତି ଓ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।

