ନ୍ୟୁଜ ଡେକ୍ସ : ନିଟ୍ ୟୁଜି ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ବାତିଲ ହୋଇଥିବା ନିଟ୍ ୟୁଜି-୨୦୨୬ ପରୀକ୍ଷା ପୁଣିଥରେ ଅନୁଷ୍ଠିତ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଆସନ୍ତା ଜୁନ୍ ୨୧ରେ ପୁନଃପରୀକ୍ଷା ଆୟୋଜନ କରାଯିବ ବୋଲି ଘୋଷଣା କରିଛି । ମେ’ ୩ ତାରିଖରେ ହୋଇଥିବା ଏହି ପରୀକ୍ଷାରେ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ବର୍ତ୍ତମାନ ସମସ୍ତ ପ୍ରାର୍ଥୀଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ପଡିବ ।ଏନଟିଏ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇ କହିଛି ଯେ, ଭାରତ ସରକାରଙ୍କ ଅନୁମୋଦନ ପରେ ଜୁନ୍ ୨୧, ୨୦୨୬ ରବିବାର ଦିନ ପୁଣିଥରେ ନିଟ୍ ୟୁଜି ପରୀକ୍ଷା ହେବ । ଏନଟିଏ ପ୍ରାର୍ଥୀ ଓ ଅଭିଭାବକଙ୍କୁ ଗୁଜବରେ ବିଶ୍ୱାସ ନକରି କେବଳ ସରକାରୀ ଚ୍ୟାନେଲ ମାଧ୍ୟମରେ ସୂଚନା ନେବାକୁ ଅନୁରୋଧ କରିଛି ।ଏହାସହ ଏନଟିଏ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି । ପ୍ରାର୍ଥୀମାନେ ଯେକୌଣସି ସୂଚନା ପାଇଁ ୦୧୧-୪୦୭୫୯୦୦୦ କିମ୍ବା ୦୧୧-୬୯୨୨୭୭୦୦ ନମ୍ବରରେ ଯୋଗାଯୋଗ କରିପାରିବେ । ଇ-ମେଲ୍ ମାଧ୍ୟମରେ ମଧ୍ୟ ସୂଚନା ନେବାର ସୁବିଧା ରହିଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ଏନଟିଏ ମେ’ ୩ରେ ହୋଇଥିବା ପରୀକ୍ଷାକୁ ବାତିଲ କରିଥିଲା । ପରେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।
ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତା ଏବଂ ପେପର ଲିକ୍ ଘଟଣାର ତଦନ୍ତ ଜାରି ରହିଛି ।ଏହି ମାମଲାରେ କ୍ରାଇମବ୍ରାଞ୍ଚ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଜୟପୁର, ଜଣେ ଗୁରୁଗ୍ରାମ ଏବଂ ଜଣେ ନାସିକରୁ ଧରାଯାଇଛି । ତଦନ୍ତ ସମୟରେ ୧୨୦ଟି ପ୍ରଶ୍ନ ମେଳ ଖାଇଥିବା ସୂଚନା ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଚଢ଼ାଉ ଜାରି ରହିଛି ।

