ନ୍ୟୁଜ ଡେକ୍ସ : ଛତିଶଗଡର ମେନପୁର ବନବିଭାଗ କର୍ମଚାରୀଙ୍କ ନାମରେ ଆସିଥିବା ବର୍ବରତା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ନିରିହ ବ୍ୟକ୍ତିଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଅମାନବୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ କୁସୁମଖାଣ୍ଟା ଗାଁର ଜଳନ୍ଧର ବଗର୍ତ୍ତି ନାମକ ଜଣେ ବ୍ୟକ୍ତି ଗୋରୁ ଚରାଉଥିବା ବେଳେ ମେନପୁର ବନକର୍ମଚାରୀ ତାଙ୍କୁ ଉଠାଇ ନେଇଥିଲେ।
ବାଘ ଛାଲ ବ୍ୟବସାୟ ସନ୍ଦେହରେ ତାଙ୍କୁ ରାତି ତମାମ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।ଜଳନ୍ଧର ନିଖୋଜ ହେବା ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ସ୍ଥାନୀୟ ସମାଜସେବୀ ଓ ପୋଲିସ ସହାୟତାରେ ତାଙ୍କୁ ଛତିଶଗଡରୁ ଉଦ୍ଧାର କରାଯାଇଥିଲା। ଘଟଣାର ଚାରି ଦିନ ପରେ ମଧ୍ୟ ପୀଡିତଙ୍କ ଶରୀରର ବିଭିନ୍ନ ସ୍ଥାନରେ କଳା ଦାଗ ଓ ଫୁଲା ଚିହ୍ନ ଥିବା ଦେଖିବାକୁ ମିଳିଛି।ପୀଡିତ ଜଳନ୍ଧର ବଗର୍ତ୍ତି ଏହି ଘଟଣାକୁ ନେଇ ବୋଡେନ ଥାନାରେ ଏତଲା ଦାଖଲ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡିଶା ପୋଲିସ କିମ୍ବା ବନବିଭାଗକୁ କୌଣସି ସୂଚନା ନଦେଇ ତାଙ୍କୁ ଉଠାଇ ନିଆଯାଇଥିବା ଅଭିଯୋଗ ଆସିଛି।
ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଏଭଳି ମରଣାନ୍ତକ ଶାରୀରିକ ନିର୍ଯାତନା ଦେବା ମାନବ ଅଧିକାର ଉଲଂଘନ ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ ନୂଆପଡାର ଜଣେ ବ୍ୟକ୍ତିଙ୍କୁ ଛତିଶଗଡରେ ଏଭଳି ନିର୍ଯାତନା ଦିଆଯିବା ଘଟଣା ନୂଆପଡା ପ୍ରଶାସନ ସହ ଓଡିଶାର ସ୍ୱାଭିମାନ ଉପରେ ପ୍ରଶ୍ନ ଉଠାଇଛି।ଘଟଣାର ନିରପେକ୍ଷ ତଦନ୍ତ ସହ ପୀଡିତଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ଦୋଷୀ ବନକର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଜୋର ଧରିଛି।

