ନ୍ୟୁଜ ଡେକ୍ସ : ରାତି ପାହିଲେ ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖ ସମୃଦ୍ଧି କାମନା କରି ଓଡ଼ିଶାର ସଧବା ନାରୀମାନେ ଶ୍ରଦ୍ଧା ଓ ଭକ୍ତିର ସହ ଏହି ଓଷା ପାଳନ କରିବେ। ଏହି ଅବସରକୁ ନେଇ ସାରା ରାଜ୍ୟରେ ଉତ୍ସବମୁଖର ପରିବେଶ ଦେଖାଦେଇଥିବା ବେଳେ ରେଶମ ସହର ବ୍ରହ୍ମପୁରରେ ମଧ୍ୟ ବଜାର ଗୁଡ଼ିକରେ ବ୍ୟାପକ ଭିଡ଼ ପରିଲକ୍ଷିତ ହେଉଛି।ପରମ୍ପରା ଅନୁଯାୟୀ ସାବିତ୍ରୀ ବ୍ରତରେ ବିବାହିତ ମହିଳାମାନେ ନୂଆ ଶାଢ଼ି, ଶଙ୍ଖା ଓ ବିଭିନ୍ନ ଶୃଙ୍ଗାର ସାମଗ୍ରୀ ପରିଧାନ କରି ପୂଜାର୍ଚ୍ଚନା କରିଥାନ୍ତି।
ଏହାକୁ ନଜରରେ ରଖି ଶାଢ଼ି ଦୋକାନ, ଗହଣା ଦୋକାନ, ଷ୍ଟେସନାରି ଓ ଫଳ ବ୍ୟବସାୟୀମାନେ ନିଜ ନିଜ ପସରା ମେଲାଇଛନ୍ତି। ସହରର ପ୍ରମୁଖ ଛକ ଓ ରାସ୍ତାକଡ଼ରେ ଏବେ ଖରିଦଦାରଙ୍କ ଭିଡ଼ ଲାଗି ରହିଛି।ବିଶେଷ କରି ସାବିତ୍ରୀ ପୂଜା ପାଇଁ ଫଳ ବଜାରରେ ବେଶ ଚାହିଦା ବଢ଼ିଥିବା ବେଳେ ଦର ମଧ୍ୟ ଆକାଶଛୁଆଁ ହୋଇଛି। ଆପଲ, ଆମ୍ବ, କଦଳୀ, ଅଙ୍ଗୁର, ନଡ଼ିଆ ସହ ବିଭିନ୍ନ ପୂଜା ସାମଗ୍ରୀର ଦାମ ବୃଦ୍ଧି ପାଇଥିବାରୁ ସାଧାରଣ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ମଧ୍ୟବିତ୍ତ ପରିବାର ପାଇଁ ଏହି ମହଙ୍ଗା ମାଡ଼ ଏକ ବଡ଼ ବୋଝ ସଦୃଶ ହୋଇପଡ଼ିଛି। ସାବିତ୍ରୀ ଅମାବାସ୍ୟା ପୂର୍ବରୁ ବିବାହିତ ଝିଅ ଘରକୁ ‘ସାବିତ୍ରୀ ଭାର’ ପଠାଇବାର ପରମ୍ପରା ଥିବାରୁ ବଜାରରେ ଫଳ ଓ ପୂଜା ସାମଗ୍ରୀ କିଣିବାକୁ ଲୋକଙ୍କ ଭିଡ଼ ଅଧିକ ଦେଖାଯାଉଛି।
ଚଢ଼ା ଦର ଥିଲେ ମଧ୍ୟ ସାମାଜିକ ପରମ୍ପରା ଓ ସ୍ନେହ ସମ୍ପର୍କକୁ ଗୁରୁତ୍ୱ ଦେଇ ଲୋକମାନେ ଆବଶ୍ୟକ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି।ବ୍ରହ୍ମପୁରର ଗୋସାଇଁ ନୂଆଗାଁ, ବିଜିପୁର, ଗିରି ମାର୍କେଟ, ଏସ୍ବିଆର ମହିଳା କଲେଜ ସମ୍ମୁଖ ରାସ୍ତା, କମାପଲ୍ଲୀ, ହରିଡ଼ାଖଣ୍ଡି ଏବଂ ଇଂଜିନିୟରିଂ ସ୍କୁଲ ଛକ ଆଦି ଅଞ୍ଚଳରେ ରାସ୍ତାକଡ଼ରେ ବିଭିନ୍ନ ପ୍ରକାର ଫଳର ପସରା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତକୁ ନେଇ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ବଢ଼ୁଥିବା ଦର ଖାଉଟିଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

