Fri. Jun 5th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆସନ୍ତା ମେ ୧୮ ଓ ୨୫ ତାରିଖରେ ହେବାକୁ ଥିବା ଜନ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଲଗାତାର ବୃଦ୍ଧି ପାଉଥିବା ବେଳେ ଦିନକୁ ଦିନ ଅସହ୍ୟ ଗରମ ଅନୁଭୂତ ହେଉଛି।

ଏପରି ପରିସ୍ଥିତିରେ ଦୂରଦୂରାନ୍ତରୁ ଲୋକମାନେ ଭୁବନେଶ୍ୱରକୁ ଆସି ଅଭିଯୋଗ ଜଣାଇବା ସମୟରେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି।ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ତାରିଖ ପରେ ସମ୍ବାଦପତ୍ର ଓ ଅନ୍ୟାନ୍ୟ ଗଣମାଧ୍ୟମ ମାଧ୍ୟମରେ ଲୋକମାନଙ୍କୁ ଅବଗତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଜନସମ୍ପର୍କ ପଦକ୍ଷେପ ଭାବେ ପରିଚିତ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକମାନେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ନିକଟରେ ନିଜର ସମସ୍ୟା, ଅଭିଯୋଗ ଓ ଆପତ୍ତି ଉପସ୍ଥାପନ କରିଥାନ୍ତି।ଏହି ଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ହୋଇଥାଏ। ଜମି ବିବାଦ, ସରକାରୀ ସହାୟତା, ପେନସନ, ଆବାସ ଯୋଜନା, ପାଣି ଓ ବିଦ୍ୟୁତ୍ ସମସ୍ୟା ସହ ଅନ୍ୟାନ୍ୟ ପ୍ରଶାସନିକ ଅସୁବିଧା ନେଇ ଲୋକମାନେ ଏଠାରେ ଅଭିଯୋଗ କରିଥାନ୍ତି।ତେବେ ଗ୍ରୀଷ୍ମ ପ୍ରବାହର ପ୍ରକୋପ କମିବା ପରେ ପୁନର୍ବାର ଏହି କାର୍ଯ୍ୟକ୍ରମ ସାଧାରଣ ଭାବେ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *