ନ୍ୟୁଜ ଡେକ୍ସ : ରାଜ୍ୟରେ ଦେଖାଦେଇଥିବା ତୈଳ ସଙ୍କଟକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ଓ ଆଶଙ୍କା ବଢ଼ିଛି। ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଲାଗୁଥିବା ବେଳେ କେତେକ ସ୍ଥାନରେ ପମ୍ପ ବନ୍ଦ ହୋଇଯାଇଥିବା ସୂଚନା ମଧ୍ୟ ମିଳିଛି। ଏହା ମଧ୍ୟରେ ଆଇଓସିଏଲ୍ କର୍ତ୍ତୃପକ୍ଷ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରି କହିଛନ୍ତି ଯେ, ରାଜ୍ୟରେ ତେଲର କୌଣସି ଅଭାବ ନାହିଁ ଏବଂ ଯାତ୍ରୀ ପରିବହନ ସହ ଟ୍ରକ୍ ଚଳାଚଳ ବନ୍ଦ ହେବ ନାହିଁ।
ପରିବହନ ଆୟୁକ୍ତଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଆଇଓସିଏଲ୍ ପକ୍ଷରୁ କୁହାଯାଇଛି ଯେ, ବସ୍ ଓ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ରିଜର୍ଭ ରଖାଯିବ। ଏହା ଦ୍ୱାରା ଜରୁରୀ ପରିବହନ ସେବା ବାଧାପ୍ରାପ୍ତ ହେବ ନାହିଁ। ରାଜ୍ୟରେ ପେଟ୍ରୋଲ, ଡିଜେଲ, ସିଏନଜି ଓ ଏଲପିଜିର ପର୍ଯ୍ୟାପ୍ତ ମହଜୁଦ ଥିବା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।ଘରୋଇ ବସ ମାଲିକ ସଂଘ ମଧ୍ୟ ସରକାରଙ୍କ ନିକଟରେ ପ୍ରତ୍ୟେକ ଜିଲ୍ଲାରେ ଅତିକମରେ ୨ଟି ପମ୍ପକୁ ବସ୍ ପାଇଁ ରିଜର୍ଭ ରଖିବାକୁ ଦାବି କରିଛି। ସରକାର ସଂଘର ପ୍ରସ୍ତାବ ଉପରେ ଶୀଘ୍ର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ଅନ୍ୟପଟେ ବୈଠକ ପରେ ଟ୍ରକ୍ ମାଲିକ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ପରିବହନ ଆୟୁକ୍ତ ୪୮ ଘଣ୍ଟାର ସମୟ ମାଗିଛନ୍ତି। ଆଇଓସିଏଲ୍ ପକ୍ଷରୁ ଆହୁରି କୁହାଯାଇଛି ଯେ, ଗୁଜବ ଶୁଣି ଲୋକମାନେ ଅତ୍ୟଧିକ ପରିମାଣରେ ପେଟ୍ରୋଲ ପମ୍ପକୁ ଆସୁଥିବାରୁ ଅତିରିକ୍ତ ଭିଡ଼ ସୃଷ୍ଟି ହେଉଛି।
ଏହା ଫଳରେ କେତେକ ସ୍ଥାନରେ ତେଲ ଯୋଗାଣରେ ସାମୟିକ ଅସୁବିଧା ହେଉଥିବା ଦେଖାଯାଉଛି। ତେବେ ଡିପୋଗୁଡ଼ିକରେ ପର୍ଯ୍ୟାପ୍ତ ତୈଳ ମହଜୁଦ ରହିଥିବା ସ୍ପଷ୍ଟ କରାଯାଇଛି।ରାଜ୍ୟବାସୀଙ୍କୁ ଆଇଓସିଏଲ୍ ପକ୍ଷରୁ ୩ଟି ବଡ଼ ଅପିଲ୍ ମଧ୍ୟ କରାଯାଇଛି। ପ୍ରଥମତଃ, ଯେତିକି ଆବଶ୍ୟକ ସେତିକି ମାତ୍ରାରେ ତେଲ ଭରିବାକୁ କୁହାଯାଇଛି। ଦ୍ୱିତୀୟତଃ, ବୋତଲ କିମ୍ବା ଅନ୍ୟ ପାତ୍ରରେ ଅନାବଶ୍ୟକ ଭାବେ ତେଲ ସଞ୍ଚୟ ନ କରିବାକୁ ଅନୁରୋଧ କରାଯାଇଛି। ତୃତୀୟତଃ, ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ତେଲ ଭରିବା ସୀମା ନିର୍ଦ୍ଧାରଣ ହୋଇଛି ବୋଲି ଚାଲିଥିବା ଖବର ସମ୍ପୂର୍ଣ୍ଣ ଗୁଜବ ବୋଲି କୁହାଯାଇଛି।ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ଯେ, ଡିପୋଗୁଡ଼ିକରେ ତେଲର କୌଣସି ଅଭାବ ନାହିଁ। କିନ୍ତୁ ବଜାର ଚାହିଦା ଅନୁସାରେ ତେଲ ସମୟରେ ପହଞ୍ଚିପାରୁନଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି। ସ୍ଥିତି ଶୀଘ୍ର ସାଧାରଣ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

