Fri. Jun 5th, 2026

ନ୍ୟୁଜ ଡେକ୍ସ : ତୈଳ ସଙ୍କଟ ଓ ଇନ୍ଧନ ସଞ୍ଚୟକୁ ନଜରରେ ରଖି କଟକ ମହାନଗର ନିଗମ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ପ୍ରତି ସୋମବାର ସିଏମସି କର୍ମଚାରୀମାନେ ସରକାରୀ ଗାଡ଼ି ବ୍ୟବହାର କରିବେ ନାହିଁ। ଏହାସହ ରବିବାର ଓ ସରକାରୀ ଛୁଟି ଦିନରେ ମଧ୍ୟ ସରକାରୀ ଗାଡ଼ି ଚଳାଚଳ ଉପରେ ରୋକ ଲଗାଯାଇଛି।ସିଏମସି ମେୟର ଏନେଇ ସୂଚନା ଦେଇ କହିଛନ୍ତି ଯେ, ତେଲ ବ୍ୟବହାର କମାଇବା ଏବଂ ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ସରକାରୀ ସ୍ତରରେ ତୈଳ ସମସ୍ୟାକୁ ଏଡ଼ାଇବା ପାଇଁ ଯେପରି ପଦକ୍ଷେପ ନିଆଯାଉଛି, ସିଏମସି ମଧ୍ୟ ସେହି ଦିଗରେ ଆଗୁଆ ହୋଇଛି।କେବଳ ଏତିକି ନୁହେଁ, ସିଏମସି ସ୍ଥାୟୀ ଭାବରେ ୨୦ ପ୍ରତିଶତ ସରକାରୀ ଗାଡ଼ି କମାଇବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ିକୁ ପର୍ଯ୍ୟାୟକ୍ରମେ ହଟାଇ ଇଲେକ୍ଟ୍ରିକ୍ ଓ ବ୍ୟାଟେରୀ ଚାଳିତ ଗାଡ଼ି କିଣାଯିବ ବୋଲି ମେୟର କହିଛନ୍ତି।ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟକୁ ଗୁରୁତ୍ୱ ଦେଇ ସିଏମସି ଏହି ନୂଆ ନୀତି ଆଣିଥିବା କୁହାଯାଉଛି।

ଏଥିରେ ଏକପଟେ ତୈଳ ବ୍ୟବହାର କମିବା ସହ ଅନ୍ୟପଟେ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ମେୟର ସୂଚନା ଦେଇଛନ୍ତି ଯେ, ଆସନ୍ତା ଜୁନ୍ ମାସରୁ ସିଏମସି ପକ୍ଷରୁ ଇଲେକ୍ଟ୍ରିକ୍ ଗାଡ଼ି କ୍ରୟ ପାଇଁ ଟେଣ୍ଡର ଆହ୍ୱାନ କରାଯିବ। ଏହା ମାଧ୍ୟମରେ ସିଏମସିକୁ ପର୍ଯ୍ୟାୟକ୍ରମେ ଗ୍ରୀନ୍ ଓ ଇକୋ-ଫ୍ରେଣ୍ଡଲି ପରିବହନ ବ୍ୟବସ୍ଥା ଦିଗରେ ଆଗେଇ ନିଆଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *