ନ୍ୟୁଜ ଡେକ୍ସ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ-ଏସଇ) ୨୦୨୩ ଅନ୍ତର୍ଗତ ୯ମ ଓ ୧୦ମ ଶ୍ରେଣୀ ପାଇଁ ଭାଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛି। ବୋର୍ଡର ନୂତନ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜୁଲାଇ ୧, ୨୦୨୬ ଠାରୁ ୯ମ ଶ୍ରେଣୀରେ ତିନୋଟି ଭାଷା ଅଧ୍ୟୟନ ବାଧ୍ୟତାମୂଳକ ହେବ।ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ତିନୋଟି ଭାଷା ମଧ୍ୟରୁ ଅତି କମରେ ଦୁଇଟି ଭାରତୀୟ ମୂଳ ଭାଷା ରହିବା ଆବଶ୍ୟକ।
ଯଦି କୌଣସି ଛାତ୍ରଛାତ୍ରୀ ବିଦେଶୀ ଭାଷା ଅଧ୍ୟୟନ କରିବାକୁ ଚାହାଁନ୍ତି, ତେବେ ଅନ୍ୟ ଦୁଇଟି ଭାଷା ଭାରତୀୟ ହେଲେ ମାତ୍ର ବିଦେଶୀ ଭାଷାକୁ ତୃତୀୟ ଭାଷା ଭାବେ ନିଆଯାଇପାରିବ। ନଚେତ୍ ସେହି ବିଦେଶୀ ଭାଷାକୁ ଅତିରିକ୍ତ ଚତୁର୍ଥ ଭାଷା ଭାବେ ପଢିବାକୁ ପଡ଼ିବ।ସିବିଏସଇ ସୂଚନା ଅନୁସାରେ ଏହି ନୂଆ ବ୍ୟବସ୍ଥା ୨୦୨୬-୨୭ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ। ତେବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ତୃତୀୟ ଭାଷାର ପରୀକ୍ଷା ଦେବାକୁ ପଡ଼ିବ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି। ବୋର୍ଡ କହିଛି ଯେ ଏନସିଇଆରଟି ପକ୍ଷରୁ ପ୍ରକାଶିତ ନୂଆ ପାଠ୍ୟକ୍ରମ ଅନୁଯାୟୀ ଏହି ପରିବର୍ତ୍ତନ ଆଣାଯାଉଛି।
ବର୍ତ୍ତମାନ ନବମ ଶ୍ରେଣୀ ପାଇଁ ଆର-୩ ପାଠ୍ୟପୁସ୍ତକ ଉପଲବ୍ଧ ନଥିବାରୁ ୨୦୨୬-୨୭ ସଂସ୍କରଣର ଷଷ୍ଠ ଶ୍ରେଣୀ ଆର-୩ ପାଠ୍ୟପୁସ୍ତକକୁ ବ୍ୟବହାର କରାଯିବ।ତୃତୀୟ ଆଞ୍ଚଳିକ ଭାଷା ତାଲିକାରେ ‘ଓଡ଼ିଆ’ ସହିତ ମୋଟ ୧୯ଟି ଭାଷାକୁ ସ୍ଥାନ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ଭାରତୀୟ ଭାଷାର ପ୍ରଚାର ଓ ସଂରକ୍ଷଣକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ଶିକ୍ଷାବିଦ୍ମାନେ ମତ ପ୍ରକାଶ କରିଛନ୍ତି।

