ନ୍ୟୁଜ ଡେକ୍ସ : ନିଟ୍ ପେପର ଲିକ୍ ଘଟଣା ପରେ କେନ୍ଦ୍ର ସରକାର ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ରେ ବଡ଼ ପ୍ରଶାସନିକ ପରିବର୍ତ୍ତନ କରିଛନ୍ତି। ଏନଟିଏରେ ଦୁଇଜଣ ନୂତନ ଯୁଗ୍ମ ନିର୍ଦ୍ଦେଶକ ଏବଂ ଦୁଇଜଣ ଯୁଗ୍ମ ସଚିବଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ସମ୍ପର୍କରେ କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।ଭାରତୀୟ ରାଜସ୍ୱ ସେବାର ଅଧିକାରୀ ଆକାଶ ଜୈନଙ୍କୁ ଏନଟିଏରେ ଯୁଗ୍ମ ନିର୍ଦ୍ଦେଶକ ଭାବରେ ନିଯୁକ୍ତି କରାଯାଇଛି।
ସେହିପରି ଆଦିତ୍ୟ ରାଜେନ୍ଦ୍ର ଭୋଜଗଡ଼ିଆଙ୍କୁ ମଧ୍ୟ ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଅନୁଜା ବାପତ ଏବଂ ରୁଚିତା ଭିଜଙ୍କୁ ଯୁଗ୍ମ ସଚିବ ଭାବରେ ଦାୟିତ୍ୱ ଦିଆଯାଇଛି।ଏହି ନିଯୁକ୍ତିଗୁଡ଼ିକ ଉଚ୍ଚଶିକ୍ଷା ବିଭାଗ ଅଧୀନରେ କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟିର ଅନୁମୋଦନ ପରେ ଏହି ଅଧିକାରୀମାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ଏନଟିଏ ସାରା ଦେଶରେ ନିଟ୍, ଜେଇଇ ମେନ୍ ଏବଂ ସିଉଇଟି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବାରୁ ଏହି ନୂତନ ନିଯୁକ୍ତି ଦ୍ୱାରା ପରୀକ୍ଷା ପରିଚାଳନା ଏବଂ ପ୍ରଶାସନିକ କାର୍ଯ୍ୟ ଆହୁରି ସୁଦୃଢ ହେବ ବୋଲି ଆଶା କରାଯାଉଛି। ଯୁଗ୍ମ ସଚିବ ଭାବରେ ନିଯୁକ୍ତ ଅନୁଜା ବାପତ ୧୯୯୮ ବ୍ୟାଚର ଭାରତୀୟ ପରିସଂଖ୍ୟାନ ସେବା ଅଧିକାରୀ ହୋଇଥିବା ବେଳେ, ରୁଚିତା ଭିଜ ୨୦୦୪ ବ୍ୟାଚର ଆଇଆରଏସ୍ ଅଧିକାରୀ। ଉଭୟଙ୍କୁ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି।ସେହିପରି ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତ ଆକାଶ ଜୈନ ୨୦୧୩ ବ୍ୟାଚର ଆଇଆରଏସ୍ ଅଧିକାରୀ। ତାଙ୍କୁ ଲାଟେରାଲ ସିଫ୍ଟ ମାଧ୍ୟମରେ ଏନଟିଏକୁ ସ୍ଥାନାନ୍ତର କରାଯାଇଛି ଏବଂ ତାଙ୍କର କାର୍ଯ୍ୟକାଳ ୨୦୨୯ ଡିସେମ୍ବର ୪ ପର୍ଯ୍ୟନ୍ତ ରହିବ।
ଆଦିତ୍ୟ ରାଜେନ୍ଦ୍ର ଭୋଜଗଡ଼ିଆ ଭାରତ ଅଡିଟ୍ ଏବଂ ଆକାଉଣ୍ଟସ୍ ସେବାର ୨୦୧୩ ବ୍ୟାଚ ଅଧିକାରୀ। ତାଙ୍କୁ ମଧ୍ୟ ଲାଟେରାଲ ସିଫ୍ଟ ମାଧ୍ୟମରେ ଏନଟିଏରେ ନିଯୁକ୍ତି ଦିଆଯାଇଛି ଏବଂ ତାଙ୍କର କାର୍ଯ୍ୟକାଳ ୨୦୨୮ ମେ ୧୬ ପର୍ଯ୍ୟନ୍ତ ରହିବ।ନିଟ୍ ପେପର ଲିକ୍ ଅଭିଯୋଗ ପରେ ମେ ୩ରେ ଅନୁଷ୍ଠିତ ନିଟ୍-ୟୁଜି ୨୦୨୬ ପରୀକ୍ଷାକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ପରୀକ୍ଷାକୁ ଜୁନ ୨୧ରେ ପୁନଃନିର୍ଦ୍ଧାରିତ କରାଯାଇଛି। ସେପଟେ ପେପର ଲିକ୍ ଘଟଣାରେ ଜଡିତ ଲୋକଙ୍କୁ ଧରିବା ପାଇଁ ସିବିଆଇ ତଦନ୍ତ ଜାରି ରହିଛି।

