ନ୍ୟୁଜ ଡେକ୍ସ : ଥିରୁଅନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ୍ରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। କୋଟା ରେଳ ମଣ୍ଡଳ ଅନ୍ତର୍ଗତ ରତଲାମ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନ୍ର B-1 କୋଚ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ରେନ୍ଟି ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଭୋର ସମୟରେ ଏହି ଅଘଟଣ ଘଟିଥିଲା।ସୂଚନା ଅନୁଯାୟୀ, B-1 କୋଚ୍ରେ ପ୍ରାୟ ୬୮ ଜଣ ଯାତ୍ରୀ ଥିଲେ। ହଠାତ୍ କୋଚ୍ ଭିତରୁ ଧୂଆଁ ବାହାରିବା ପରେ କିଛି ସମୟ ମଧ୍ୟରେ ନିଆଁ ସମଗ୍ର କୋଚ୍ରେ ବ୍ୟାପିଯାଇଥିଲା।
ତୃତୀୟ ଏସି ଏବଂ ଏସଏଲଆର କୋଚ୍ର କିଛି ଅଂଶ ନିଆଁରେ ପୋଡ଼ି ଯାଇଥିବା ସୂଚନା ମିଳିଛି।ନିଆଁ ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗାର୍ଡ ତୁରନ୍ତ ଲୋକୋ ପାଇଲଟ୍ଙ୍କୁ ସୂଚନା ଦେବା ପରେ ଟ୍ରେନ୍କୁ ଅଟକାଇ ଦିଆଯାଇଥିଲା। ଆରପିଏଫ କର୍ମଚାରୀ ଏବଂ ରେଳ କର୍ମଚାରୀମାନେ ତୁରନ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କୋଚ୍ରୁ ବାହାର କରିଥିଲେ। ପ୍ରାୟ ୧୫ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ କୋଚ୍ ଖାଲି କରାଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁଁ ଦିଲ୍ଲୀ-ମୁମ୍ବାଇ ରେଳ ମାର୍ଗରେ ଯାତାୟାତ ପ୍ରଭାବିତ ହୋଇଛି।
ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ୍କୁ ଅଟକାଇବାକୁ ପଡ଼ିଥିଲା। ଘଟଣା ପରେ କୋଟା ରେଳ ଡିଭିଜନର ଉଦ୍ଧାର ଓ ରିଲିଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଥିଲେ।ପ୍ରାରମ୍ଭିକ ତଦନ୍ତରୁ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କୋଟା ଡିଭିଜନର ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ଘଟଣାର ତଦନ୍ତରେ ଲାଗିପଡ଼ିଛନ୍ତି।

