Thu. Jun 4th, 2026

ନ୍ୟୁଜ ଡେକ୍ସ : ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମୁହାଁ ହୋଇଥିବା ଏକ ବଣୁଆ ଭାଲୁ ଅସାବଧାନତା ବଶତଃ ଏକ ଶୁଖିଲା କୂଅ ଭିତରେ ଖସି ପଡ଼ିଥିଲା। ପ୍ରାୟ ୧୫ ଘଣ୍ଟାର ଚେଷ୍ଟା ପରେ ବନ ବିଭାଗ ସଫଳତାର ସହ ଭାଲୁଟିକୁ ଉଦ୍ଧାର କରିଛି। କୌଣସି ଟ୍ରାଙ୍କୁଲାଇଜର ବ୍ୟବହାର ନକରି କେବଳ ଏକ ସାଧାରଣ ସିଡ଼ି ସାହାଯ୍ୟରେ ଏହି ଉଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ରବିବାର ଭୋର୍ ପ୍ରାୟ ୬ଟା ସମୟରେ ବାରିପଦା ବନଖଣ୍ଡ ଅଧୀନସ୍ଥ କପ୍ତିପଦା ଅଞ୍ଚଳର ଏକ ଗାଁରେ ଥିବା ଶୁଖିଲା କୂଅ ଭିତରେ ଭାଲୁ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଏହି ଭିଡ଼ ଓ କୋଳାହଳ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସୃଷ୍ଟି କରିଥିଲା। ଲୋକଙ୍କ ଶବ୍ଦରେ ଭାଲୁଟି ମଧ୍ୟ ଭୟଭୀତ ହୋଇପଡ଼ିଥିଲା। ବାରିପଦା ଡିଏଫଓ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ କହିଛନ୍ତି ଯେ ସାରାଦିନ ଉଦ୍ଧାର କାର୍ଯ୍ୟ ଚାଲିଥିଲା, କିନ୍ତୁ ଭିଡ଼ କମିବା ପରେ ରାତି ପ୍ରାୟ ୮ଟାରେ କୂଅ ଭିତରକୁ ଏକ ଲମ୍ବା ସିଡ଼ି ପକାଯାଇଥିଲା। ପରେ ରାତି ୯ଟା ୧୫ ମିନିଟ୍ ସମୟରେ ଭାଲୁଟି ନିଜେ ସିଡ଼ି ଚଢ଼ି ବାହାରକୁ ଆସିଥିଲା। ସକାଳୁ ହିଁ ବନ କର୍ମଚାରୀମାନେ ତାର ଗତିବିଧି ଉପରେ ନଜର ରଖିଥିଲେ।ଉଦ୍ଧାର ହୋଇଥିବା ଭାଲୁଟି ଏକ ବୟସ୍କ ସ୍ଲୋଥ୍ ଭାଲୁ ଥିବା ସୂଚନା ମିଳିଛି। ଜନବସତି ଅଞ୍ଚଳକୁ ଆସିଥିଲେ ମଧ୍ୟ ସେ କାହାକୁ ଆକ୍ରମଣ କରିନଥିଲା କିମ୍ବା କୌଣସି କ୍ଷତି କରିନଥିଲା।

ଡିଏଫଓଙ୍କ କହିବା ଅନୁସାରେ ଭାଲୁଟି ସୁସ୍ଥ ଓ ସାଧାରଣ ଅବସ୍ଥାରେ ଥିବାରୁ ତାକୁ ବେହୋସ୍ କରିବାର ଆବଶ୍ୟକତା ପଡ଼ିନଥିଲା। ଉଦ୍ଧାର ସମୟରେ ବନ ବିଭାଗ ପକ୍ଷରୁ ସିଡ଼ି ସହ ପଞ୍ଜୁରି, ଫ୍ଲାସଲାଇଟ୍, ଖାଦ୍ୟ ଓ ମଜବୁତ ଜାଲ ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା। ଯଦି ଭାଲୁଟି ହିଂସ୍ର ଆଚରଣ କରୁଥାନ୍ତା କିମ୍ବା ଗାଁ ଆଡ଼କୁ ମାଡ଼ିଯାଉଥାନ୍ତା, ତେବେ ତାକୁ କାବୁ କରିବା ପାଇଁ ବନ କର୍ମଚାରୀମାନେ ପ୍ରସ୍ତୁତ ଥିଲେ। କିନ୍ତୁ କୌଣସି ଅଘଟଣ ଘଟିନଥିଲା। କୂଅରୁ ବାହାରିବା ପରେ ଭାଲୁଟି ଶାନ୍ତ ଭାବରେ ନିକଟସ୍ଥ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା।

Leave a Reply

Your email address will not be published. Required fields are marked *